ସ୍କୁଲରେ କଳାପଟା ନଥିବାରୁ କବାଟରେ ଲେଖା ହେଲା ପ୍ରଶ୍ନ, ଦୀର୍ଘ ଅଢେଇ ଘଣ୍ଟା ପରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ଯାଜପୁର (କେନ୍ୟୁଜ): ପରୀକ୍ଷା ପୂର୍ବରୁ ଆସିଲାନି ପ୍ରଶ୍ନପତ୍ର। ଶ୍ରେଣୀରେ କଳାପଟା ନାହିଁ। ଶେଷରେ ଶ୍ରେଣୀ କବାଟରେ ଚକରେ ଲେଖାଗଲା ପ୍ରଶ୍ନ। ଦୀର୍ଘ ଅଢେଇ ଘଣ୍ଟା ପରେ ପରୀକ୍ଷା ଦେଲେ ଛାତ୍ର ଛାତ୍ରୀ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଣ୍ଟିଆ ସ୍ଥିତ ପଞ୍ଚାୟତ ହିଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟରେ। ସର୍ବଶିକ୍ଷା ଅଭିଯାନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପାଠ ପଢୁ ଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ସ୍କୁଲ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଏହିକ୍ରମରେ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଇବା ପାଇଁ ସ୍କୁଲ ପକ୍ଷରୁ ନୋଟିସ ଜାରି କରାଯାଇଥିଲା।
ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିଥିବା ବେଳେ ପ୍ରଶ୍ନ ପତ୍ର ନଆସିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପରେ ଶ୍ରେଣୀ କକ୍ଷରେ ବ୍ଲାକ ବୋର୍ଡ ନଥିବାରୁ କବାଟରେ ପ୍ରଶ୍ନ ଲେଖାଯାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ଛାତ୍ରଛାତ୍ରୀମାନେ ପ୍ରଶ୍ନର ଉତ୍ତର ଲେଖିଥିଲେ। ତେବେ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଆସିନଥିବା ବେଳେ ବିଦ୍ୟାଳୟରେ ଛାତ୍ରୀଛାତ୍ରୀଙ୍କ ସଂଖ୍ୟା ୪ଶହରୁ ଅଧିକ ଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା କହିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ।
ଏହି ତ୍ରୁଟି ପାଇଁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷା। ଏପଟେ ଏସମ୍ପର୍କରେ ପ୍ରଶାସନ ଅବଗତ ଥିବା ବେଳେ ଏହାର ଅନୁଧ୍ୟାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।