ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ସାକେତ ଗୋଖଲେ ଗିରଫ, ମୋରବି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବଦନାମ୍ କରିବା ନେଇ ରହିଥିଲା ଅଭିଯୋଗ

ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ସାକେତ ଗୋଖଲେଙ୍କୁ ଗୁଜରାଟ ପୋଲିସ ସୋମବାର ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ଗିରଫ କରିଛି। ମୋରବି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ମିଥ୍ୟା ଖବର ପ୍ରଚାର କରିବା ନେଇ ଗୋଖଲେଙ୍କ ବିରୋଧରେ ଅଭିଯୋଗ ରହିଥିଲା।
ଏହି ଗିରଫଦାରୀ ବିଷୟରେ ତାଙ୍କ ଦଳର ସହଯୋଗୀ ତଥା ରାଜ୍ୟସଭା ସାଂସଦ ଡେରେକ ଓ’ ବ୍ରାୟନ ସୂଚନା ଦେଇଛନ୍ତି। ଓ’ ବ୍ରାୟନ ଟ୍ୱିଟ୍ କରି ଲେଖିଛନ୍ତି, ଟିଏମସିର ରାଷ୍ଟ୍ରୀୟ ପ୍ରବକ୍ତା ସାକେତ ଗୋଖଲେଙ୍କୁ ଗୁଜରାଟ ପୋଲିସ ଜୟପୁର ବିମାନବନ୍ଦରରୁ ଗିରଫ କରିଛି। ସୋମବାର ଗୋଖଲେ ନୂଆଦିଲ୍ଲୀରୁ ଜୟପୁର ପାଇଁ ରାତି ୯ଟାରେ ଫ୍ଲାଇଟ୍ ନେଇଥିଲେ। ଯେତେବେଳେ ସେ ଓହ୍ଲାଇଥିଲେ, ତ ଜୟପୁର ବିମାନବନ୍ଦରରେ ପୂର୍ବରୁ ଅପେକ୍ଷା କରି ରହିଥିବା ଗୁଜରାଟ ପୋଲିସ ତାଙ୍କୁ ଗିରଫ କରିଥିଲା।
ଓ’ ବ୍ରାୟନଙ୍କ ଅନୁସାରେ, ଗିରଫ ପରେ ଗୋଖଲେ ମଙ୍ଗଳବାର ଦିନ ୨ଟାରେ ନିଜ ମା’ଙ୍କୁ ଫୋନ୍ କରିଥିଲେ ଏବଂ କହିଥିଲେ କି, ଗୁଜରାଟ ପୋଲିସ ତାଙ୍କୁ ଅହମ୍ମଦାବାଦ ନେଇକି ଯାଉଛି, ସେ ଦ୍ୱିପ୍ରହର ସୁଦ୍ଧା ଅହମ୍ମଦାବାଦରେ ପହଞ୍ଚିଯିବେ। ପୋଲିସ ତାଙ୍କୁ ମାତ୍ର ୨ ମିନିଟ ଫୋନ୍ କଲ କରିବାକୁ ଅନୁମତି ଦେଇଥିଲା। ଏହାପରେ ତାଙ୍କର ଫୋନ୍ ଏବଂ ସମସ୍ତ ଜିନିଷପତ୍ର ଜବତ କରି ନେଇଥିଲା।

କହି ରଖୁଛୁ, ୧ ଡିସେମ୍ବରରେ ଟିଏମସି ପ୍ରବକ୍ତା ସାକେତ ଗୋଖଲେ ଦାବି କରିଥିଲେ ଯେ ମୋରବି ବ୍ରିଜ ଭୁଶୁଡ଼ିବା ଘଟଣା ପରେ ପିଏମ୍ ମୋଦିଙ୍କର ଗୁଜରାଟ ଗସ୍ତ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହା ମାତ୍ର କିଛି ଘଣ୍ଟାର ଗସ୍ତ ଥିଲା। ସେ ଏକ ରିପୋର୍ଟକୁ ଉଦ୍ଧୃତ କରି କହିଥିଲେ କି, ୫.୫ କୋଟି ଟଙ୍କା ଶୁଦ୍ଧ ରୂପେ ସ୍ୱାଗତ, ଇଭେଣ୍ଟ ମ୍ୟାନେଜମେଣ୍ଟ ଏବଂ ଫଟୋଗ୍ରାଫି ପାଇଁ ରହିଥିଲା। ମୋଦିଙ୍କ ଇଭେଣ୍ଟ ମ୍ୟାନେଜମେଣ୍ଟ ଏବଂ ପିଆର୍ର ଦାମ୍ ୧୩୫ ଲୋକଙ୍କ ଜୀବନଠାରୁ ଅଧିକ। କାହିଁକି ନା, ୧୩୫ ମୃତକଙ୍କ ପରିବାରକୁ ମାତ୍ର ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯାଇଥିଲା।
ସେପଟେ ଗୁଜରାଟ ବିଜେପି ଗୋଖଲେଙ୍କ ଟ୍ୱିଟରେ ଦିଆଯାଇଥିବା ତଥ୍ୟକୁ ମିଥ୍ୟା ଖବର ବୋଲି କହିଛି। ଗୁଜରାଟ ବିଜେପି କହିଛି କି, ଏହି ପ୍ରକାରର କୌଣସି ଆରଟିଆଇ ଦାଖଲ କରାଯାଇ ନାହିଁ କି ଆରଟିଆଇର ନା ଏମିତି କିଛି ଉତ୍ତର ଦିଆଯାଇଛି। ଦଳ ଟ୍ୱିଟରରେ ପୋଷ୍ଟ କରି ଲେଖିଛି, ନୂଆ କ୍ଲିପିଂ ମନଗଢ଼ା। ବାସ୍ତବରେ ସେମିତି କୌଣସି ରିପୋର୍ଟ କେଉଁଠି ବି ପ୍ରକାଶିତ ହୋଇ ନ ଥିଲା।