ସରକାରୀ ବିଦ୍ୟାଳୟର ବିକଳ ଚିତ୍ର, ବିନା ଛାତ୍ରଛାତ୍ରୀରେ ଚାଲିଛି ସ୍କୁଲ

ସ୍କୁଲ ଗୃହ ଅଛି, ଶିକ୍ଷକ ଅଛନ୍ତି, ପାଚିକା ବି ଅଛନ୍ତି ହେଲେ ପିଲା ସଂଖ୍ୟା ଶୂନ । ଅନ୍ୟପକ୍ଷେ ପିଲା ସଂଖ୍ୟା ଦିନକୁ ଦିନ କମୁଥିବା ବେଳେ ସ୍କୁଲଟିକୁ ବନ୍ଦ କରାଯାଉନି କି ଆଖପାଖ ଅଞ୍ଚଳର ପିଲାଙ୍କର ଏଠାରେ ନାମ ଲେଖାଇବା ଦିଗରେ କୈାଣସି ଉଦ୍ୟମ ମଧ୍ୟ ହେଉନାହିଁ ।

ବାଙ୍ଗିରିପୋଷି(କେନ୍ୟୁଜ):- ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା କରୁଛନ୍ତି । ତଥାପି କେଉଁଠି ଶିକ୍ଷକ,କେଉଁଠି ଭିତିଭୂମି, ତ ପୁଣି କେଉଁଠି ସବୁ ଥାଇ ମଧ୍ୟ ଛାତ୍ରଛାତ୍ରୀଙ୍କ ଅଭାବ ଦେଖାଯାଉଛି । ଫଳରେ ଶିକ୍ଷା ବ୍ୟବସ୍ଥାର ସୁଧାର ପାଇଁ ଶତ ଚେଷ୍ଟା କରାଗଲେ ମଧ୍ୟ ଶିକ୍ଷା ବ୍ୟବସ୍ଥାରେ ଏମିତି ସମସ୍ୟା ହିଁ ପାଠ ପାଇଁ ବାଧକ ସାଜୁଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଗାଁ ପଞ୍ଚାୟତର ଚରାବନ୍ଧ ଗ୍ରାମରେ ଥିବା ଜାହିରା ସାହି ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟରେ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି । ସ୍କୁଲ ଗୃହ ଅଛି, ଶିକ୍ଷକ ଅଛନ୍ତି, ପାଚିକା ବି ଅଛନ୍ତି ହେଲେ ପିଲା ସଂଖ୍ୟା ଶୂନ । ଅନ୍ୟପକ୍ଷେ ପିଲା ସଂଖ୍ୟା ଦିନକୁ ଦିନ କମୁଥିବା ବେଳେ ସ୍କୁଲଟିକୁ ବନ୍ଦ କରାଯାଉନି କି ଆଖପାଖ ଅଞ୍ଚଳର ପିଲାଙ୍କର ଏଠାରେ ନାମ ଲେଖାଇବା ଦିଗରେ କୈାଣସି ଉଦ୍ୟମ ମଧ୍ୟ ହେଉନାହିଁ । ଫଳରେ ପ୍ରାଥମିକ ସ୍ତରରେ ସେଠାରେ ଶିକ୍ଷାର ଏପରି ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ ଏବଂ ଆଚମ୍ବିତ କରୁଛି ।

ବ୍ଲକର ମୁଖ୍ୟ କାର୍ଯ୍ୟାଳୟ ଠାରୁ ପ୍ରାୟ ୨୬ କିମି ଦୂର ଶିମିଳିପାଳ ପାଦଦେଶର ବ୍ରାହ୍ମଣ ଗାଁ ପଞ୍ଚାୟତର ଚରାବନ୍ଧ ଗ୍ରାମର ଶେଷ ସୀମାରେ ଥିବା ଜାହିରା ସାହି ଠାରେ ଏହି ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟ ଅଛି । ୨୦୦୯ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପାଠପଢାର ବ୍ୟବସ୍ଥା ରହିଛି । ଆଭ୍ୟନ୍ତରୀଣ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସରକାରଙ୍କ ତରଫରୁ ପଞ୍ଚାୟତର ଶେଷ ଗ୍ରାମରେ ବିଦ୍ୟାଳୟ ସ୍ଥାପନ କରାଯାଇଥିଲେ ମଧ୍ୟ ଚଳିତ ବର୍ଷ ସେଠାରେ ପଢୁଥିବା କେବଳ ଜଣେ ମାତ୍ର ପଞ୍ଚମ ଶ୍ରେଣୀ ଛାତ୍ରର ପାଠପଢା ବନ୍ଦ ପରେ ଏବେ ବିଦ୍ୟାଳୟଟି ଛାତ୍ରଛାତ୍ରୀ ଶୁନ୍ୟ ହୋଇ ପଡିଛି ।

ବିଦ୍ୟାଳୟରେ ୨୦୧୭ ମସିହାରୁ ଶିକ୍ଷକତା କରୁଥିବା ଶିକ୍ଷକ ଚନ୍ଦ୍ରମୋହନ ସୋରେନ ଏବେ ବିନା ଛାତ୍ରଛାତ୍ରୀରେ ବିଦ୍ୟାଳୟରେ ଏକୁଟିଆ ଦିନ କାଟୁଛନ୍ତି । ମଧ୍ୟାନ୍ନ ଭୋଜନ ପାଇଁ ପିଲା ନଥିବାରୁ ଚୁଲି ମଧ୍ୟ ଜଳୁ ନାହିଁ । ଏପରିକି ଖେଳ ଉପକରଣ ଗୁଡିକ ମଧ୍ୟ ମୁଷା ଖାଇ ନଷ୍ଟ ହେବାରେ ଲାଗିଲାଣି । ତେବେ କମ ପିଲା ପାଇଁ ସ୍କୁଲଟି ବନ୍ଦ ହୋଇଯିବା ଆଶଙ୍କାରେ ସେମାନଙ୍କ ଅଭିଭାବକ ମାନେ ୬ଜଣ ପିଲାଙ୍କୁ ଅନ୍ୟତ୍ର ନେଇଗଲେ । ଫଳରେ ଏବେ ବିଦ୍ୟାଳୟଟି ଛାତ୍ର-ଛାତ୍ରୀ ଶୂନ୍ୟ ହୋଇ ପଡିଛି ।
ତେବେ ବ୍ଲକ ଶିକ୍ଷା ଅଧିକାରୀ ଗୈାତମ କୁମାର ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଆମେ ଏଥିନେଇ ଅବଗତ ଅଛୁ । ନିକଟସ୍ଥ ଅଞ୍ଚଳରେ ପିଲା ନଥିବାରୁ ସମସ୍ୟା ସୃଷ୍ଟି ହେଉଛି । ଚଳିତ ଶିକ୍ଷା ବର୍ଷରେ ପିଲାଙ୍କ ନାଁ ଲେଖା ପାଇଁ ଚେଷ୍ଟା କରିବୁ । ଯଦି ପିଲା ନମିଳନ୍ତି ତେବେ ସ୍କୁଲ ବନ୍ଦ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.