ମିଳୁନି ପିଇବା ପାଣି, ବିଶୁଦ୍ଧ ପାଣି ବୁନ୍ଦାଏ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ
ପାନୀୟଜଳ ପାଇଁ କୋଟିକୋଟି ଟଙ୍କାର ପ୍ରକଳ୍ପ କରାଯାଉଥିବା ବେଳେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଳକ ବାଲିପଶି ଗ୍ରାମପଞ୍ଚାୟତ ସଂସାମରା ଗ୍ରାମରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ । ଏଠାରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଲୋକେ ବିଶୁଦ୍ଧ ପାଣି ବୁନ୍ଦାଏ ପାଇଁ ଅନେକ ହଇରାଣ ହରକତ ହେଉଛନ୍ତି ।
ପାନୀୟଜଳ ପାଇଁ କୋଟିକୋଟି ଟଙ୍କାର ପ୍ରକଳ୍ପ କରାଯାଉଥିବା ବେଳେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଳକ ବାଲିପଶି ଗ୍ରାମପଞ୍ଚାୟତ ସଂସାମରା ଗ୍ରାମରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ । ଏଠାରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଲୋକେ ବିଶୁଦ୍ଧ ପାଣି ବୁନ୍ଦାଏ ପାଇଁ ଅନେକ ହଇରାଣ ହରକତ ହେଉଛନ୍ତି । କଣିଁହା ବ୍ଲକ ସଂସାମରା ଗ୍ରାମର ଯାତ୍ରା ମଣ୍ଡପ ସାହିରେ ଏବେ ପାଣି ସମସ୍ୟା ଦେଖିବାକୁ ମିଳିଛି । ସକାଳ ହେଲେ ଲୋକମାନଙ୍କର ଗୋଟିଏ ଚିନ୍ତା ପିଇବା ପାଣି କେଉଁଠାରୁ ମିଳିବ ! ସରକାରଙ୍କ ତରଫରୁ ନଳକୂପ ଖନନ ହୋଇଛି ସତ, କିନ୍ତୁ ପାଣି ବାହାରିବାର ନାଁ ଧରୁନାହିଁ ।
ଆଜକୁ ପାଞ୍ଚ ବର୍ଷ ପୂର୍ବେ ଗଭୀର କୂପ ମାଧ୍ୟମରେ ଜଳ ଯୋଗାଣ ପାଇଁ ନିଷ୍ପତ୍ତି କ୍ରମେ ବସୁଧା ଯୋଜନାରେ ଗୋଟିଏ ନଳକୂପ ତିଆରି ହୋଇଥିଲା । ମାତ୍ର ବଡ଼ ଦୁଃଖର ବିଷୟ ସେହି ଯାତ୍ରା ମଣ୍ଡପ ସାହିକୁ ପାଇପ୍ ପକାଯାଇ ନଥିବାରୁ ସେଠାକାର ବାସିନ୍ଦାଙ୍କ ପାଇଁ ପିଇବା ପାଣି ସାତସପନ ହେଇଯାଇଛି । ସାହିରେ ଥିବା ନଳକୂପ ଗୁଡିକ ଜଳସ୍ତର ତଳକୁ ଚାଲିଯାଇଥିବାରୁ ନଳକୂପରୁ ପାଣି ବାହାରେ ନାହିଁ । ବାଧ୍ୟ ହୋଇ ଗ୍ରାମବାସୀ ପୋଖରୀ ପାଣି ଉପରେ ନିର୍ଭର କରିଥାନ୍ତି । ଏନେଇ ବିଭାଗୀୟ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ କହିବା କଥା ସେ ନଳକୂପ ଗୁଡିକ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରିବା ସହ ପାଇପ ଲାଇନ ଅପଗ୍ରେଡ଼େସନ ପାଇଁ ବିଭାଗୀୟ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଜଣାଇବେ ।
ସଂସାମରା ଗ୍ରାମର ଯାତ୍ରାମଣ୍ତପ ସାହିରେ ଦିର୍ଘ ଦିନ ହେଲା ଏହି ପାଣି ସମସ୍ୟା ଲାଗି ରହିଛି । ଏଠି ପାଣିର ସ୍ରୋତ ବହୁତ ତଳେ, ତେଣୁ ନଳକୂପରୁ ମଧ୍ୟ ଅସାଧିତ ପାଣି ବାହାରେ ନାହିଁ । ବସୁଧା ଯୋଜନାରେ ଏହି ଗ୍ରାମରେ ବୋରୱେଲ୍ ଖୋଳାହୋଇ ମଟର ମାଧ୍ୟମରେ ଜଳ ଯୋଗାଣ ହେଇ ଆସୁଥିଲେ ମଧ୍ୟ ଓଭରହେଡ୍ ଟାଙ୍କି ନଥିବାରୁ ଉଚ୍ଚ ସ୍ଥାନରେ ଥିବା ଯାତ୍ରାମଣ୍ତପ ସାହିକୁ ପାଣି ପହଞ୍ଚି ପାରୁନାହିଁ । ଗାଁଲୋକେ ଦାବି କରିଛନ୍ତି ଗାଁରେ ଏକ ଓଭରହେଡ୍ ଟାଙ୍କି ନିର୍ମାଣ କରାଯାଉ ଏବଂ ନଳକୂପ ଶିଘ୍ର ମରାମତି କରାଯାଉ । ବାରମ୍ବାର ଗ୍ରାମବାସୀ ସରପଞ୍ଚ ଠାରୁ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ତେବେ ଦେଖିବାକୁ ବାକିରହିଲା ସଂସାମରା ଗ୍ରାମବାସୀଙ୍କର ଜଳ ସମସ୍ୟା କେବେ ଦୂର ହେଉଛି !