ବାଲେଶ୍ୱର ଜିଲ୍ଲା ପ୍ରତି ଅଢେଇ ବର୍ଷରେ ଗୋଟିଏ ବାତ୍ୟା ବିପଦ! କ୍ଲାଇମେଟ୍‌ ହାଜାର୍ଡ ଭଲନେରବଲିଟି ଆଟଲାସ ରିପୋର୍ଟରୁ ସ୍ପଷ୍ଟ

ବାଲେଶ୍ୱର(କେନ୍ଯୁଜ୍): ବାତ୍ୟା ଆଖିରେ ବାଲେଶ୍ୱର। ବାଲେଶ୍ୱର ଜିଲ୍ଲା ପ୍ରତି ଅଢେଇ ବର୍ଷରେ ଗୋଟିଏ ବାତ୍ୟା ମାଡ ବିପଦ ରହୁଛି। ବାତ୍ୟା ସମୟରେ ବାଲେଶ୍ୱରରେ ବର୍ଷା, ପବନ ଓ ସମୁଦ୍ର ପାଣି ଆଗକୁ ମାଡି ଆସିବାର ବିପଦ ମଧ୍ୟ ସର୍ବାଧିକ ରହୁଥିବା IMD ପକ୍ଷରୁ ପ୍ରକାଶ ପାଇଥିବା କ୍ଲାଇମେଟ୍‌ ହାଜାର୍ଡ ଭଲନେରବଲିଟି ଆଟଲାସ ରିପୋର୍ଟରୁ ଜଣାପଡିଛି।

ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି IMD ଯେଉଁ ରିପୋର୍ଟ ଜାରି କରିଛି , ସେଥିରେ ବାଲେଶ୍ୱରକୁ ରାଜ୍ୟର ସବୁଠୁ ଅଧିକ ବାତ୍ୟା ପ୍ରବଳ ଜିଲ୍ଲା ଭାବେ ଅଭିହିତ କରିଛି। ଭାରତୀୟ ପାଣିପାଗ ବିଭାଗର ପୁଣେ ସ୍ଥିତ କ୍ଲାଇମେଟ୍‌ ରିସର୍ଚ୍ଚ ଆଣ୍ଡ ସର୍ଭିସର ବରିଷ୍ଠ ବୈଜ୍ଞାନିକମାନେ ୧୯୬୧-୨୦୨୦ ମଧ୍ୟରେ ଘଟିଥିବା ପାଣିପାଗ ଘଟଣାବଳୀକୁ ଅନୁଧ୍ୟାନ କରି ଏହି ରିପୋର୍ଟ ପ୍ରକାଶ କରିଛନ୍ତି।

ବାଲେଶ୍ୱରକୁ ପ୍ରତି ୨.୮୬ବର୍ଷରେ ଗୋଟିଏ ବାତ୍ୟା ମାଡ ହେଉଥିବାବେଳେ କେନ୍ଦ୍ରାପଡ଼ାକୁ ୩.୭୫ ବର୍ଷରେ ଗୋଟିଏ ବାତ୍ୟା ବିପଦ ରହୁଛି। ସେହପିର ପୁରୀ ପ୍ରତି ୩.୩ ବର୍ଷ ରହିଥିବାବେଳେ ଗଞ୍ଜାମ ଓ ଭଦ୍ରକ ପାଇଁ ପ୍ରତି ୪ ବର୍ଷରେ ଗୋଟିଏ ବାତ୍ୟା ମାଡ ହେବାର ବିପଦ ରହିଛି। ପଶ୍ମିମବଙ୍ଗର ସୁନ୍ଦରବନକୁ ଦେଶର ବାତ୍ୟା ରାଜଧାନୀ ଭାବେ ଦର୍ଶାଯାଇଛି। ୧୯୬୧-୨୦୨୦ ମଧ୍ୟରେ ବଙ୍ଗୋପସାଗର ଉପକୂଳ ଦେଇ ୯୦ଟି ବାତ୍ୟା ଗତି କରିଛି।