ପୁଅର ଦୁଃଖ ଆଉ ସହି ପାରୁନି ବୁଢ଼ୀ ମା, ସହାୟତାକୁ ଅନେଇ ବସିଛି

ଗଞ୍ଜାମ(କେନ୍ଯୁଜ୍): ଗଞ୍ଜାମ ଜ଼ିଲ୍ଲା ସାନଖେମୁଣ୍ଡି ବ୍ଲକ ଧର୍ମରାୟପୁର ଗାଁ ର କୁମାରୀ ଦାସ । ସବୁ କିଛି ଠିକ ଠାକ ଚାଲିଥିଲା ତାଙ୍କ ଜୀବନରେ । ପାଠ ପଢ଼ିସାରିବା ପରେ ପେଟ ପୋଷିବା ପାଇଁ ପୁଅ ବାସୁଦେବ ଗୁଜରାଟର ସୁରତକୁ ଯାଇଥିଲେ । ତେବେ ସେଠାରେ ହଠାତ୍ ଦେହ ଖରାପ ହେବାରୁ ତିନି ବର୍ଷ ତଳେ ଗାଁକୁ ଫେରି ଆସିଥିଲେ । ସେହି ଦିନରୁ ଚାଲିଛି ରୋଗ ସହିତ ସଂଘର୍ଷ । ଦାରିଦ୍ର୍ୟ ସାଙ୍ଗକୁ ଭଲ ହେଉନଥିବା ରୋଗ ତାଙ୍କୁ ତଳିତଳାନ୍ତ କରି ଦେଇଛି । ଏପରି ଅବସ୍ଥା ଯୋଗୁଁ ସ୍ତ୍ରୀ ମଧ୍ୟ ପାଖରେ ରହିଲେ ନାହିଁ। ଏବେ ସାହା ଭରସା କେବଳ ବୁଢ଼ୀ ମା। ନିଜର ଘର ଖଣ୍ଡେତ ନାହିଁ ଅନ୍ଯ ଘର ବାରଣ୍ଡା ପାଲଟିଛି ଆଶ୍ରୟ ସ୍ଥଳ ।

କୁମାରୀଙ୍କ ପରିବାର କହିଲେ ସ୍ୱାମୀ, ଚାରି ଝିଅ ଓ ଦୁଇ ପୁଅ । ଘର ବି ଥିଲା । ଖଟିଲେ ପରିବାର ଚଳେ। ସମୟର ତାଡନାରେ ପ୍ରଥମେ ସ୍ୱାମୀ ଚାଲିଗଲେ। ସବୁ ଝିଅଙ୍କୁ ବାହା କରାଇଲେ। ତେବେ ଏସବୁ ଭିତରେ ବାକି କରଜ ବହୁତ ହୋଇଗଲା । ତେଣୁ କରଜ ଶୁଝିବା ପାଇଁ ସାନ ପୁଅ ବାସୁଦେବ ୨୦୦୩ ମସିହାରେ ମାଟ୍ରିକ ପାସ କରିବା ପରେ ସୁରତକୁ ଚାଲିଗଲେ । ପୁଅ ସେଠି ରୋଜଗାର କଲା । ହେଲେ ସବୁ ବାକି ଶୁଝିବା ସମ୍ଭବ ହେଲା ନାହିଁ । ତେଣୁ ମା’ କୁମାରୀ ଘର ବିକି ଦେଲେ । ଆଉ ଏପଟେ ବାସୁଦେବ ଅସୁସ୍ଥ ହୋଇ ଫେରି ଆସିଲେ ସୁରତରୁ । ମେଡିକାଲରେ ଦେଖାଇବା ପରେ ଡାକ୍ତର ରୋଗ ସିନା ଚିହ୍ନଟ କଲେ ହେଲେ ଔଷଧ କିନ୍ତୁ ବାସୁଦେବଙ୍କୁ ଭଲ କରି ପାରିଲା ନାହିଁ । ଏହା ପରଠାରୁ ବିଧବା ମା’ ପାଇଁ ବୋଝ ହୋଇଯାଇଛନ୍ତି ବାସୁଦେବ । ଯାହା କଷ୍ଟ ହେଲେ ବି ପୁଅର ସେବା କରୁଛନ୍ତି । ଅଝଟ ହେଲେ ବୁଝାଉଛନ୍ତି । ଏପରି ଅବସ୍ଥାରେ ବାସୁଦେବର ସ୍ତ୍ରୀ ବାଧ୍ୟ ହୋଇ ନିଜ ବାପ ଘରେ ରହୁଛନ୍ତି ।

ପୁଅ ବାସୁଦେବ ରୋଗରେ ପଡ଼ିବା ପରେ ତାଙ୍କର ମାନସିକ ସ୍ଥିତି ଠିକ୍‌ ରହୁନାହିଁ । କେତେବେଳେ ହସୁଛନ୍ତି ତ କେତେବେଳେ କାନ୍ଦୁଛନ୍ତି । ତାଙ୍କର ଏହି ଅବସ୍ଥାକୁ ସାଙ୍ଗ ମାନେ ଓ ଗ୍ରାମବାସୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ସାଙ୍ଗମାନେ କହନ୍ତି ବାସୁଦେବ ଭଲ ପାଠ ପଢୁଥିଲା । ପରିବାର ଚଳାଇବା ପାଇଁ ଗାଁ ଛାଡିଥିଲା କିନ୍ତୁ ଦୁର୍ଭାଗ୍ୟ ତାକୁ ଓ ତାର ପରିବାରକୁ ଯେମିତି ଗ୍ରାସ କରି ଦେଲା । କୁମାରୀଙ୍କୁ ବିଧବା ଭତ୍ତା ୫୦୦ ଟଙ୍କା ଓ ୫ କେଜି ସରକାରୀ ଚାଉଳ ମିଳୁଛି । ଏତିକିରେ ପୁଅର ଔଷଧ ଓ ଘର କଣ ଚଳିବ ? ସରକାରଙ୍କ ବହୁ ଯୋଜନା ରହିଛି ସେଥିରେ ସାମିଲ ହେଲେ ଅତି କଷ୍ଟରେ ଥିବା ଏଇ ପରିବାର ବଞ୍ଚି ଯାଆନ୍ତା । ଅବଶ୍ୟ ଖବର ପାଇବା ପରେ ସ୍ଥାନୀୟ ଉପଜିଲ୍ଲାପାଳ ପହଞ୍ଚି କୁମାରୀଙ୍କ ସହ କଥା ହୋଇଛନ୍ତି ଏବଂ ସହାୟତା ପାଇଁ ପ୍ରତିଶ୍ରୁତି ବି ଦେଇଛନ୍ତି । ତେବେ ଏ ପରିବାରକୁ ଅଳ୍ପ ନୁହେଁ ଅଧିକ ସହାୟତା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.