ଏଥର ପୁଣି ଦେଶରେ ଦେଖା ଦେବକି ମରୁଡି ସ୍ଥିତି ? ପ୍ରାକ୍ ମୌସୁମୀ ବର୍ଷା ୬୫ ବର୍ଷରେ ଦ୍ୱିତୀୟ ସର୍ବନିମ୍ନ

ମୌସୁମୀ ପହଞ୍ଚିବାରେ ବିଳମ୍ବ ହେଉଛି । ଦେଶରେ ପ୍ରାକ ମୌସୁମୀ ବର୍ଷା ବହୁ ପରିମାଣରେ କମିଛି । ଏବେ ଦେଶରେ ଶୁଖିଲା ପାଗ । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ରିପୋର୍ଟ ଦେଶରେ ଗତ ୬୫ ବର୍ଷରେ ଦ୍ୱିତୀୟ ସର୍ବନିମ୍ନ ପ୍ରାକ ମୌସୁମୀ ବର୍ଷା ହୋଇଛି । ଶୁଖି ଯାଇଛି ଜଳ ଭଣ୍ଡାର । ସେପେଟ ମୌସୁମୀ ଆସିବାରେ ବିଳମ୍ବ ହେଉଛି । ତେଣୁ ଆଗକୁ ଦେଶରେ ମରୁଡି ଆଶଙ୍କା ସୃଷ୍ଟି ହୋଇଛି । ଓଡ଼ିଶା ମଧ୍ୟ ପ୍ରଭାବିତ ହୋଇପାରେ।
ଆଉ ଏକ ମରୁଡି ଆଶଙ୍କା! ମୌସୁମୀ ଆସିବାରେ ବିଳମ୍ବ। ସେପଟେ ପ୍ରାକ୍-ମୌସୁମୀ ବର୍ଷା ହ୍ରାସ। ସାଧାରଣତଃ ଦେଶରେ ପ୍ରାକ ମୌସୁମୀ ବର୍ଷା ପରିମାଣ ୧୩୧.୫ ମିଲିମିଟର ହୋଇଥାଏ। ଚଳିତ ବର୍ଷ କିନ୍ତୁ ଏହି ପରିମାଣ ରହିଛି ମାତ୍ର ୯୯ ମିଲିମିଟର। ଯାହା ଗତ ୬୫ ବର୍ଷରେ ଦ୍ୱିତୀୟ ସର୍ବନିମ୍ନ। ଏଲ୍ ନିନୋ ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ଏଲ ନିନୋ ଯୋଗୁଁ ହିଁ ମୌସୁମୀ ଆସିବାରେ ବିଳମ୍ବ ହେଉଛି। କେରଳ ପହଞ୍ଚିବାକୁ ଆଉ ୪୮ ଘଣ୍ଟା ଲାଗିପାରେ। ଓଡ଼ିଶାରେ ମଧ୍ୟ ଶୁଖିଲା ପାଗ। ରାଜ୍ୟକୁ ମଧ୍ୟ ବର୍ଷା ପହଞ୍ଚିବାରେ ବିଳମ୍ବ ହେବ। ତେଣୁ ଓଡ଼ିଶାରେ ମରୁଡି ଆଶଙ୍କାକୁ ଏଡାଯାଇ ନ ପାରେ।
ବର୍ଷା ନାହିଁ। କମୁଛି ଜଳଭଣ୍ଡାରର ଜଳ ସ୍ତର। ଦେଶରେ ୯୧ ବଡ଼ ଜଳଭଣ୍ଡାର ରହିଛି। ସେଣ୍ଟ୍ରାଲ ୱାଟର କମିଶନ ରିପୋର୍ଟ ମୁତାବକ ମେ ୩୦ ସୁଦ୍ଧା ୩୧.୬୫ ବିଲିଅନ କ୍ୟୁବିକ୍ ମିଟର, ଈଉଗ ଜଳ ରହିଛି। ମୋଟ ଜଳ ଧାରଣ କ୍ଷମତାର ୨୦ ପ୍ରତିଶତ। ଗତବର୍ଷ ଏ ସମୟରେ ଏହା ୨୧ ପ୍ରତିଶତ ଥିଲା। ପୂର୍ବ ଭାରତର ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ତ୍ରିପୁରାରେ ୧୫ଟି ଜଳଭଣ୍ଡାର ରହିଛି। ମୋଟ ଜଳ ଧାରଣ କ୍ଷମତା ୧୮.୮୩ ଈଉଗ। କିନ୍ତୁ ଜଳଭଣ୍ଡାରଗୁଡିକରେ ରହିଛି ୪.୦୨ ଈଉଗ, ଯାହା ମୋଟ ଜଳ ଧାରଣ କ୍ଷମତାର ୨୧ ପ୍ରତିଶତ। ଗତ ବର୍ଷ ଏ ସମୟରେ ଏହି ହାର ଥିଲା ୨୪ ପ୍ରତିଶତ। ଅର୍ଥାତ ଚଳିତ ବର୍ଷ, ଗତବର୍ଷଠାରୁ କମ ପାଣି ରହିଛି। ହୀରାକୁଦ ଜଳଭଣ୍ଡାରରେ ୬୦୨.୮୯ ଫୁଟ୍ ପାଣି ରହିଛି। ଗତବର୍ଷ ଏ ସମୟରେ ୬୦୫. ୫୪ ଫୁଟ୍ ପାଣିଥିଲା।
ଏବେ ପୁରା ଭାରତ ଶୁଖିଲା। ବର୍ଷାର ଅଭାବ, ଜଳ ଭଣ୍ଡାରେ ପାଣି କମ୍। ମୌସୁମୀ ବର୍ଷା କମିଗଲେ, ଅବସ୍ଥା ସଂଗୀନ ହେବ। ସେପଟେ ଓଡ଼ିଶା ପାଇଁ ବର୍ଷା ସହ ଛତିଶଡ଼ ପାଣି ନ ଛାଡିବା ଆଉ ଏକ ମୁଣ୍ଡବଥାର କାରଣ ହେବାକୁ ଯାଉଛି।