ମାଓବାଦୀଙ୍କ ଆକ୍ରମଣରେ ତିନି ଯବାନ ସହିଦ, ଏବେ ବି ଜାରି ରହିଛି ଗୁଳି ବିନିମୟ

ନୂଆପଡ଼ା(କେ ନ୍ୟୁଜ):  ନୂଆପଡ଼ା ଜିଲ୍ଲା ବୋଡେନ୍‌ ବ୍ଲକ୍‌ ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ନକ୍ସଲ ମାନଙ୍କ ଆକ୍ରମଣରେ ୩ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି । ଖବର ପାଇଁ ଦକ୍ଷିରାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ନୂଆପଡ଼ା ଏସ୍‌ପି ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି ।

ସୂଚନା ଦେଇ ରଖୁଛୁକି ବୋଡେନ୍‌ ଥାନା ପାଟଧରାରେ ସିଆର୍‌ପିଏଫ୍‌ର ଏକ ନୂଆ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା । ଯାହାକୁ ନକ୍ସଲମାନେ ବିରୋଧ କରି ଆସୁଥିଲେ । କ୍ୟାମ୍ପ ଉଠାଇ ନେବା ପାଇଁ ନକ୍ସଲମାନେ ବ୍ୟାନର ଓ ପୋଷ୍ଟର ମାରି ଦୀର୍ଘ ଦିନ ହେବ ଦାବି କରି ଆସୁଥିଲେ । ଆଜି ଯବାନମାନେ ଭୈଷାଦାନୀରୁ ପାଟଧରା କ୍ୟାମ୍ପକୁ ଯିବା ସମୟରେ ନକ୍ସଲମାନେ ସେମାନଙ୍କ ଉପରେ ହଠାତ ଆକ୍ରମଣ କରିଥିଲେ । ସିଆର୍‌ପିଏଫ୍‌ ଯବାନମାନେ ମଧ୍ୟ ଏହାର ମୁକାବିଲା କରିଥିଲେ । ଏହା ସତ୍ତ୍ୱେ ନକ୍ସଲଙ୍କ ଗୁଳିରେ ଶିଶୁପାଳ ସିଂହ, ଶିବଲାଲ ସିଂହ ଓ ଧର୍ମେନ୍ଦ୍ର କୁମାର ସିଂହ ସହିଦ ହୋଇଯାଇଛନ୍ତି । ଆଉ କିଛି ଯବାନ ଗୁରୁତରଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା ଜାରି ରଖାଯାଇଛି |

ସହିଦ ଶିଶୁପାଳ ସିଂହଙ୍କ ଘର ଉତ୍ତର ପ୍ରଦେଶର ଆଲିଗଡ଼ର ଲାଲଗରି ଗାଁରେ । ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ଶିବଲାଲଙ୍କ ଘର ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲାର ପାଇଗା ଗାଁରେ । ଧର୍ମେନ୍ଦ୍ର କୁମାର ସିଂହଙ୍କ ଘର ବିହାରର ରୋହତସ୍ ଜିଲ୍ଲାର ସରାୟା ଗାଁରେ ବୋଲି ଜଣାଯାଇଛି । ପ୍ରତି ସହିଦଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.