ଡକା ଡକି ହୋଇ ଆରପାରିକୁ ଚାଲିଗଲେ ବାପା ଓ ମା, ଏବେ ପାଠ ତ ଦୂରର କଥା ଅନାହାରରେ ବିତୁଛି ତିନି ଅନାଥ ଶିଶୁଙ୍କ ଜୀବନ

ଗଞ୍ଜାମ(କେନ୍ୟୁଜ୍):  ମାଆ ମରିଗଲେ ମାସକ ପରେ ବାପା ମରିଗଲେ । ଆମେ କିପରି ଚଳିବୁ ? ଏମିତି କୋହ ଭରା କଣ୍ଠରେ ନିଜର ଦୁଃଖକୁ ପ୍ରକାଶ କରିଛନ୍ତି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ଭୋଗିବନ୍ଧ ଗାଁର ଦେବକୀ ନାୟକ । କାଜୁ ଜଙ୍ଗଲର ପରିବେଶ ମଧ୍ୟରେ ଚାଳ ଛପର ଘର ରହୁଛନ୍ତି ଦେବକୀ ନାୟକଙ୍କ ସହ ଦୁଇ ଭାଇ ଭଉଣୀ। ସମସ୍ତେ ବାପା ମା ଛେଉଣ୍ଡ। ଏହି ତିନି ଜଣ ଶିଶୁ ହେଲେ  ଦେବକୀ, ବର୍ଷା ରାଣୀ ଓ କିରଣ। ଏମାନେ ଦୁନିଆର ହସ ଖୁସି ଜାଣିବା ପୂର୍ବରୁ  ଆଖିରେ ଆଖିଏ ଲୁହ ନେଇ ରହୁଛନ୍ତି। ଏମାନଙ୍କ ବାପା କୁଷନ ନାୟକ ଓ ମାଆ ବାଳାବତୀଙ୍କ ମୃତ୍ୟୁ ପରେ ଏମାନେ ହୋଇଯାଇଛନ୍ତି ଅନାଥ ।

ଭୋଗିବନ୍ଧ ଗାଁର କୁଷନ ନାୟକଙ୍କ ପାଞ୍ଚଟି ଝିଅ ଓ ଗୋଟିଏ ପୁଅରେ ସୁଖ ଦୁଃଖର ସଂସାର ଗଢିଉଠୁଥିଲେ। ପାଞ୍ଚଟି ଝିଅ ମଧ୍ୟରୁ ତିନି ଝିଅ ବିବାହ କରିସାରିଛନ୍ତି । ତେବେ ଅଗଷ୍ଟ ୧୨ ତାରିଖରେ ମାଆଙ୍କ ମୃତ୍ୟୁ ହୋଇଯାଇଥିଲା, ଏହା ପରେ ହଠାତ୍ ସେପ୍ଟେମ୍ବର ୨୦ ତାରିଖରେ ବାପାଙ୍କ ଅକାଳ ମୃତ୍ୟୁ ଘଟିଲା ।ଏହାରି ମଧ୍ୟରେ ପନ୍ଦର ଦିନ ବିତିଯାଇଛି ଶୁଦ୍ଧ ବି କ୍ରିୟା ସରିଛି ।କିନ୍ତୁ ଏବେ ତିନି ଜଣ ଶିଶୁ କିପରି ରହିବେ ଚିନ୍ତା ଘାରିଛି । କୁଷନ ନାୟକଙ୍କ ଗାଁରେ ଘର ଥିଲା, କିନ୍ତୁ  ତିତିଲି ଝଡ ଘରକୁ  ଭାଙ୍ଗିଦେଇଗଲା । ଏହା ପରେ ନିଜ କାଜୁ ଜଙ୍ଗଲରେ କୁଡିଆ ଘର କରି ରହୁଥିଲେ ।ହଠାତ୍ ବାପା ମା  ଚାଲିଗଲା ପରେ  ଏମିତି ଦୁଃଖ ଯେ ଏମାନଙ୍କ  ଜୀବନରେ ଆସିବ କେହି ମଧ୍ୟ କଳ୍ପନା କରିନଥିଲେ । ଏହି ତିନିଟି ସନ୍ତାନକୁ ସହାୟତା ଯୋଗାଇ ଦେଲେ ଏମାନଙ୍କ ଭବିଷ୍ୟତ ଉଜ୍ଜଳ ହୋଇପାରନ୍ତା ବୋଲି ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.