ଦିନକ ପରେ ରଥଯାତ୍ରା : କଡ଼ାସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର
ପୁରୀ : ରଥଯାତ୍ରା ପୂର୍ବରୁ ରଥଟଣାର ମକ୍ଡ୍ରିଲ । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରଥକୁ କିଭଳି ସୁରକ୍ଷିତ ଭାବେ ଟଣାଯିବ, ସେନେଇ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ପୁରୀ ରିଜର୍ଭ ପୋଲିସ ପଡ଼ିଆରେ ୩ଟି ଜିପ୍କୁ ୩ଟି ରଥ ଭାବେ ଟଣାଯାଇଥିଲା । ଏଥିରେ ସାମିଲ ଥିଲେ ରାପିଡ୍ ଆକ୍ସନ ଫୋର୍ସ, ଏସ୍ଓଜି ଯବାନ, ଓଡ଼ିଶା ସ୍ୱିଫ୍ଟ ଆକ୍ସନ ଫୋର୍ସ ଓ ପୋଲିସ । ତେବେ ରଥଯାତ୍ରା ବେଳେ ପୁରୀକୁ ନୋ ଫ୍ଲାଇଂ ଜୋନ୍ କରିବା ପାଇଁ ପ୍ରଶାସନର ଆବେଦନକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଗ୍ରାହ୍ୟ କରିଦେଇଛି । ଇଣ୍ଟରନ୍ୟାସନାଲ ଫ୍ଲାଇଂ ରୁଟ୍ରେ ରହିଛି ପୁରୀ ଆକାଶ । ଏଥିସହ ବିମାନ ୩୫ ହଜାର ଫୁଟ୍ ଉପରେ ଯାଉଥିବାରୁ ବିପଦ ନାହିଁ ବୋଲି ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ରଥଯାତ୍ରା ପାଇଁ ପୁରୀରେ ନିୟୋଜିତ ହୋଇଛନ୍ତି ୧୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୧ ହଜାରରୁ ଅଧିକ ଅଫିସର । ଏବର୍ଷ ପ୍ରଥମ ଥର ଲାଗି ମୁତୟନ ହେବ ଏନ୍ଏସ୍ଜି । ୧୮୫ରୁ ଅଧିକ ସିସିଟିଭି କ୍ୟାମେରା ସହ ଏକ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଅନ୍ୟ ଏକ କଣ୍ଟ୍ରୋଲ ରୁମ ୨୪ ଘଣ୍ଟା ଖୋଲିବ । ରଥଯାତ୍ରାରେ ସ୍ୱାସ୍ଥ୍ୟସେବା, ଟ୍ରାଫିକ ନିୟନ୍ତ୍ରଣ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି । ପୁରୀରେ ୧୩୬ ଜଣ ଡାକ୍ତର, ୫୪୧ ଜଣ ପାରା ମେଡିକାଲ ଷ୍ଟାଫ୍ ନିୟୋଜିତ ହେବେ । ଭିଡ଼କୁ ଆଖିରେ ରଖି ସ୍ୱତନ୍ତ୍ର ବସ୍ ଓ ୧୮୬ଟି ସ୍ପେଶାଲ ଟ୍ରେନ୍ ଚଳାଚଳ କରିବ ।
ସେପଟେ ତିନି ରଥରେ କଳସ ସ୍ଥାପନ ପରେ କନକମୁଣ୍ଡି କାର୍ୟ୍ୟ ଚାଲିଛି । ରଥରେ ଲଗାଯାଉଛି କନା । କାଠରେ ନିର୍ମିତ କଳସରେ ଦସ୍ତା ଚାଦର ଦିଆଯିବା ସହ ଅଶ୍ୱ ଯୋଚିବା ପାଇଁ ଜୁଆଳି ପ୍ରସ୍ତୁତ କରାଯାଇଛି । ଭୋଇ ସେବକଙ୍କ ଦ୍ୱାରା ପ୍ରଭା କାମ ସରିବା ପରେ ତାହା ସ୍ଥାପନ କରାଯିବ । ଆସନ୍ତାକାଲି ନେତ୍ରୋତ୍ସବରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନି ରଥକୁ ରଥଖଳାରୁ ଅଣାଯାଇ ସିଂହଦ୍ୱାର ସାମ୍ନାରେ ରଖାଯିବ ।
ଆସନ୍ତାକାଲି ନେତ୍ରୋତ୍ସବ । ଶ୍ରୀଜିଉଙ୍କ ନବ ଯୌବନ ବେଶ ଦର୍ଶନ । ୧୪ ଦିନର ଅଣସର ପରେ ନବଯୌବନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ୩ ଘଣ୍ଟା ଧରି ନବଯୌବନ ବେଶ ଦର୍ଶନ ଚାଲିବ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରସ୍ତୁତ ହୋଇଛି ନୀତିନିର୍ଘଣ୍ଟ। । ସକାଳ ୬ଟା ୧୦ରେ ମଙ୍ଗଳ ଆଳତି, ୭ଟାରେ ଅବକାଶ ନୀତି କରାଯିବ । ଦିନ ୮ଟାରୁ ୯ଟା ଯାଏ ପରମାଣିକ ବା ଟିକେଟ ଦର୍ଶନ ଓ ୯ଟାରୁ ୧୦ଟା ୩୦ ଯାଏ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ । ୧୨ଟା ୩୦ରେ ନେତ୍ରୋତ୍ସବ ବନ୍ଦାପନା କରାଯିବ ।
ସେହିପରି ଅପରାହ୍ଣ ୩ଟାରୁ ୪ଟା ମଧ୍ୟରେ ଗୋପାଳ ବଲ୍ଲଭ ଧୂପ ଓ ସକାଳ ଧୂପ ହେବ । ଅପରାହ୍ଣ ୪ଟା ୧୦ ରେ ରଥ ଆଜ୍ଞାମାଳ ବିଜେ, ରାତି ୭ଟା ୩୦ରେ ସଂଧ୍ୟା ଆଳତି ଓ ରାତି ୧୦ଟାରେ ଚନ୍ଦନ ଲାଗି ହେବ ବୋଲି ନୀତିନିର୍ଘଣ୍ଟ କରାଯାଇଛି । ଆସନ୍ତାକାଲି ନବଯୌବନ ବେଶ ପୂର୍ବରୁ ଆଜି ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ହୋଇଛି । ଏଥିପାଇଁ ଶ୍ରୀମନ୍ଦିର ଭୋଗ ମଣ୍ଡପ ସରିବା ପରେ ଦତ୍ତମହାପାତ୍ରଙ୍କ ଘରୁ ଖଡ଼ି ପ୍ରସାଦ ବିଜେ ହୋଇଥିଲା । ନବଯୌବନ ବେଶ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ଭିତର ଓ ବାହାରେ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।