ଚଢ଼ାଉ ବେଳେ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କଲେ କାଠ ମାଫିଆ, ୪ ଜଣ ଆହତ ଓ ଗାଡ଼ି ଭଙ୍ଗାରୁଜା

ଘଟଗାଁ (କେ ନ୍ୟୁଜ୍‌) : ବନ ବିଭାଗ କର୍ମଚାରୀଙ୍କ ଉପରେ କାଠ ମାଫିଆଙ୍କୁ ଆକ୍ରମଣ । ବେଆଇନ କାଠ ମିଲ୍‌ ଉପରେ ଚଢାଉ ବେଳେ କାଠ ମାଫିଆଙ୍କ ଆକ୍ରମଣରେ ବନ କର୍ମଚାରୀ ଆହତ ହୋଇଥିବା ବେଳେ ମାଫିଆଙ୍କ ଢେଲା ମାଡରେ ବନ ବିଭାଗର ଗାଡ଼ି ଭାଙ୍ଗିଛି । କେନ୍ଦୁଝର ଡିଏଫଓଙ୍କ ନେତୃତ୍ବରେ ତିନି ପ୍ଲାଟୁନ ଫୋର୍ସ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଗାଁ ବ୍ଲକ ସାନ୍ତରାପୁରରେ ଚାଲିଥିବା ବେଆଇନ କାଠ ମିଲ୍‌ ଉପରେ ଚଢାଉ କରାଯାଇଥିଲା । ଏହି ଚଢାଉରେ ବନ ବିଭାଗ କାଠ ମିଲର ଯନ୍ତ୍ରପାତି ଜବତ କରିବା ସହ ବିପୁଳ ପରିମାଣରେ ଚୋରା କାଠ, ଗୋଟିଏ ପିକଅପ ଭ୍ୟାନ ଜବତ କରିଛି । ଏଥି ସହ ୫ ଜଣଙ୍କୁ ଗିରଫ ମଧ୍ୟ କରିଛି । ତେବେ ଏହି ଚଢାଉ ସମୟରେ କାଠ ମାଫିଆମାନେ ସେମାନଙ୍କ ଉପରେ ଆକ୍ରମଣ କରିବା ସହ ଢେଲା ପଥର ମାଡ଼ କରିଥିଲେ ।

ମାଫିଆଙ୍କ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଆହତ ହୋଇଥିବା ବେଳେ ବନ ବିଭାଗର ଏକ ଗାଡି ଭାଙ୍ଗିଛି । ଏଥି ସହ ଏହି ଚଢାଉରେ ସାମିଲ ଥିବା ଢେଙ୍କିକୋଟ ଫାଣ୍ଡି ଗାଡି ମଧ୍ୟ ଭଙ୍ଗାରୁଜା ହୋଇଛି । ଆହତ କର୍ମଚାରୀମାନେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଜବତ ସାମଗ୍ରୀ, କାଠ ଓ ଗାଡିକୁ ବନବିଭାଗ ଜିଲ୍ଲା ମୁଖ୍ୟାଳୟ ନେବା ସହ ଗିରଫ ଆସାମୀଙ୍କୁ କୋର୍ଟ ଚାଲାଣ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.