ପରିସ୍ଥିତି କରିଦେଲା ଅନାଥ, ୧୦ ବର୍ଷର ଶିଶୁ ନିଜେ ଚାଷ କରି ପୋଷୁଛି ପେଟ

ଆଜିକାଲିର ପିଲାମାନେ ସବୁ ଛୋଟ ବଡ଼ କାମ ପାଇଁ ଅଭିଭାବକଙ୍କ ଉପରେ ନିର୍ଭର କରୁଛନ୍ତି। ପାଠ ପଢ଼ିବାଠୁ ନେଇ ସ୍କୁଲକୁ ଯିବା ପର୍ଯ୍ୟନ୍ତ ସବୁ କାମରେ ପିଲାଙ୍କୁ ସାହାଯ୍ୟ ଦରକାର। କିନ୍ତୁ ବର୍ତ୍ତମାନ ଏକ ଏଭଳି ପିଲା କଥା ସାମ୍ନାକୁ ଆସିଛି ଯିଏ ନିଜ ପେଟ ଚାଖଣ୍ଡକ ପାଇଁ ନିଜେ ଜମିରେ ଚାଷ କରୁଥିବା ଜଣାଯାଇଛି। ମାତ୍ର ୧୦ ବର୍ଷରେ ସେ ନିଜେ ଖଟିକି ଖାଉଛି। ଯେଉଁ ବୟସରେ ଆଜିକାଲିର ପିଲା ମା ବାପାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ, ସେହି ବୟସରେ ଏହି କୁନି ପୁଅଟି ଆତ୍ମନିର୍ଭରଶୀଳ ହୋଇଛି।

୧୦ ବର୍ଷୀୟ ଡାଙ୍ଗ୍‌ ବାନ ଖୁୟେନ ଭିଏତନାମର ଏକ ଛୋଟ ଗାଁରେ ବାସ କରୁଛି। ପିଲାବେଳୁ ହିଁ ମା ଛାଡ଼ି ଚାଲିଯାଇଥିଲେ। ଏଣୁ ଡାଙ୍ଗ୍‌ ନିଜ ଦାଦିଙ୍କ ସହ ରୁହେ। ବାପା ଅନ୍ୟ ସହରକୁ କାମ କରିବାକୁ ଚାଲିଯାଇଥିଲେ। ତେବେ ଦୁଃଖ ସେତେବେଳେ ବଢିଗଲା ଯେତେବେଳେ କାମ କରିବା ବେଳେ ଏକ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁଘଟିଲା। ଏତିକିରେ ସରିଲାନି ଡାଙ୍ଗ୍‌ର ଦୁଃଖ। ବାପାଙ୍କ ମୃତ୍ୟୁର କିଛିଦିନ ପରେ ଆଉ ଜଣଙ୍କୁ ବିବାହ କରି ଦାଦି ମଧ୍ୟ ଅନ୍ୟତ୍ର ଚାଲିଗଲେ। ଏବେ ଘରେ ଡାଙ୍ଗ୍‌ ସମ୍ପୂର୍ଣ୍ଣ ଏକା।

Video Courtesy: Lao Động TV

କିଛି ଉପାୟ ନ ପାଇ ଛୁଆଟି ଏବେ ଆଉ ଜଣଙ୍କ କ୍ଷେତରେ କାମ କରି ନିଜକୁ ଚଳାଉଛି। ଗାଁର ଜଣେ ଶିକ୍ଷକ ଡାଙ୍ଗ୍‌ର ଦାୟିତ୍ୱ ଏକ ସଂସ୍ଥାକୁ ନେବାକୁ ଅନୁରୋଧ କରିଥିଲେ। କିନ୍ତୁ ନିଜକୁ ନିଜେ ସମ୍ଭାଳି ପାରିବ ବୋଲି କହି ଡାଙ୍ଗ୍‌ ଯିବାକୁ ମନା କରିଦେଇଥିଲା।

ଏହାସହ ପଢ଼ନ୍ତୁ: ରୋଗୀଙ୍କ ସହ କଥା ହୋଇ ହୋଇ ହାର୍ଟ ଅପରେସନ୍‌ କରାଇଲେ ଡାକ୍ତର, ଭାରତରେ ପ୍ରଥମ

ସବୁଠୁ ଖାସ କଥା ହେଉଛି ନିଜ ସବୁ କାମ ସମେତ କ୍ଷେତରେ ଖଟିବା ପରେ ମଧ୍ୟ ଗୋଟିଏ ଦିନ ବି ଡାଙ୍ଗ୍‌ ସ୍କୁଲ ବନ୍ଦ କରିନାହିଁ। ସେ ସବୁଦିନ ସକାଳେ ସାଇକେଲରେ ସ୍କୁଲ ଯାଇଥାଏ। କ୍ଲାସ ସରିବା ପରେ ଘରକୁ ଫେରି ନିତିଦିନିଆ କାମରେ ଲାଗିପଡ଼େ। ଜଣେ ପଡ଼ୋଶୀ ଡାଙ୍ଗ୍‌ଙ୍କୁ ଭାତ ଦେଉଥିବା ବେଳେ ନିଜ କ୍ଷେତରେ ଫଳୁଥିବା ପରିବାକୁ ସେ ତା ସହ ଲଗେଇ ଖାଇଥାଏ। ଡାଙ୍ଗ୍‌ ଏବେ ଯେଉଁ ଘରେ ରହୁଛନ୍ତି ତାହା ବି ଭଙ୍ଗା। ରାତି ଦିନ ଘରେ ପ୍ରବଳ ପବନ ବହିଥାଅ।

ଡାଙ୍ଗ୍‌ଙ୍କ ଶିକ୍ଷକ ଏ ବିଷୟରେ ସୋସିଆଲ ମିଡିଆରେ କହିବା ପରେ ଘଟଣା ପଦାକୁ ଆସିଥିଲା। କିଛି ଲୋକ ଡାଙ୍ଗ୍‌କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଚାହିଁଥିବା ବେଳେ ଆଉ କିଛି ଆର୍ଥିକ ସହାୟତା ପ୍ରଦାନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କିନ୍ତୁ ଡାଙ୍ଗ୍‌ କାହା ସାହାଯ୍ୟ ନେବାକୁ ମନା କରିଦେଇଛି। ନିଜେ ନିଜକୁ ଚଳାଇ ପାରିବ ବୋଲି କହିଛି ଡାଙ୍ଗ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.