ଗାନ୍ଧି ପରିବାରକୁ ଭେଟିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା; ସୋନିଆ ଗାନ୍ଧିଙ୍କୁ କଲେ ଆଲିଙ୍ଗନ, ରାହୁଲ-ପ୍ରିୟଙ୍କାଙ୍କୁ ହାଲ୍‌ଚାଲ ପଚାରିଲେ

କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି ସୋମବାର ନୂଆଦିଲ୍ଲୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ସମୟରେ ତାଙ୍କ ସହିତ ରାଏବରେଲିରୁ ନବନିର୍ବାଚିତ ସାଂସଦ ରାହୁଲ ଗାନ୍ଧି ଏବଂ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ ।

ଏହି ସାକ୍ଷାତ ସମ୍ପର୍କରେ କଂଗ୍ରେସ ଏହାର ଅଫିସିଆଲ୍ ‘X’ ହ୍ୟାଣ୍ଡେଲରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛି । ଏହି ସମୟରେ ବାଂଲାଦେଶ ପିଏମ୍‌ ଶେଖ ହସିନା ସୋନିଆ ଗାନ୍ଧିଙ୍କୁ ଆଲିଙ୍ଗନ କରିଥିଲେ । ସେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ଆଲିଙ୍ଗନ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ବାଂଲାଦେଶ ପିଏମ୍‌ ଶନିବାର ଦିଲ୍ଲୀରେ ପହଞ୍ଚିଥିଲେ । ଏହାପରେ ସେ ରବିବାର ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ପିଏମ୍‌ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ ।

ଏହି ସମାରୋହରେ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ଓ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରେମସିଂହେଙ୍କ ସମେତ ଭାରତର ପଡୋଶୀ ଦେଶ ଏବଂ ଭାରତ ମହାସାଗର ଅଞ୍ଚଳର ଶୀର୍ଷ ନେତାମାନେ ଯୋଗ ଦେଇଥିଲେ ।

କହି ରଖୁଛୁ ଯେ ଗାନ୍ଧି ପରିବାର ଓ ଶେଖ ହସିନାଙ୍କ ପରିବାର ମଧ୍ୟରେ ସମ୍ପର୍କ ୫ ଦଶନ୍ଧିରୁ ଅଧିକ ପୁରୁଣା । ଗାନ୍ଧି ପରିବାର ସହିତ ତାଙ୍କର ଅତି ଘନିଷ୍ଠ ସମ୍ପର୍କ ରହିଛି । ଏକଦା ଯେତେବେଳେ ଶେଖ ହସିନା ଏବଂ ତାଙ୍କ ପରିବାରର ଜୀବନ ପ୍ରତି ବିପଦ ଥିଲା, ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ସେମାନଙ୍କୁ କେବଳ ଆଶ୍ରୟ ଦେଇ ନ ଥିଲେ, ବରଂ ଜୀବନ ମଧ୍ୟ ରକ୍ଷା କରିଥିଲେ ।

ଶେଖ ହସିନା ୬ ବର୍ଷ ଧରି ଦିଲ୍ଲୀରେ ରହିଥିଲେ । ଏହି ଘଟଣା ୧୯୭୫ରୁ ୧୯୮୧ ମସିହା ସମୟର । ଦିଲ୍ଲୀର ଲାଜପତ ନଗରରେ ଯେଉଁଠି ସେ ରହୁଥିଲେ, ବର୍ତ୍ତମାନ ସେଇଠି ଏକ ବାଣିଜ୍ୟିକ କମ୍ପ୍ଲେକ୍ସ ତିଆରି ହୋଇଛି । ଶେଖ୍‌ ହସିନା ୨୮ ବର୍ଷ ବୟସରେ ଯେବେ ଭାରତ ଆସିଥିଲେ, ସେହି ସମୟରେ ୧୯୭୫ରେ ବାଂଲାଦେଶରେ ବିଦ୍ରୋହ ବେଳେ ତାଙ୍କ ବାପା ଶେଖ ମୁଜିବ୍‌ ଉର୍‌ ରେହମାନ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ସେନା ହତ୍ୟା କରିଦେଇଥିଲେ ।

Leave A Reply

Your email address will not be published.