ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ପ୍ରଦର୍ଶିତ ହେବ ଚଳଚ୍ଚିତ୍ର ‘ଦି ସି ଆଣ୍ଡ ସେଭେନ ଭିଲେଜସ’

ଭୁବନେଶ୍ୱର : ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ ୨୦୨୪ (ମିଫ୍ ) ପାଇଁ ମନୋନୀତ ହୋଇଛି ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ‘ଦ ସି ଆଣ୍ଡ ସେଭେନ ଭିଲେଜେସ’ । ଏହି ଚଳଚ୍ଚିତ୍ର ମହୋତ୍ସବ ଆଗାମୀ ଜୁନ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆୟୋଜନ କରାଯାଉଛି । ଜଳବାୟୁ ପରିବର୍ତ୍ତନ ଏବଂ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲ ଅନ୍ତର୍ଗତ ସାତଭାୟା ଉପରେ ଏହାର ପ୍ରଭାବ ବିଷୟରେ ତଥ୍ୟ ସହ ଏହି ଡକ୍ୟୁମେଣ୍ଟାରୀ କରାଯାଇଛି ।

ସାତଭାୟା ଗାଁର ବାସିନ୍ଦାଙ୍କ ଜୀବନ ଏବଂ ସଂଘର୍ଷ ଚିତ୍ରିତ ହୋଇଛି। ଏହାର ପ୍ରଯୋଜନା ଡ. ଇତି ସାମନ୍ତ କରିଥିବା ବେଳେ କାଦମ୍ବିନୀ ମିଡିଆ ବ୍ୟାନରରେ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଉପସ୍ଥାପିତ ହୋଇଛି । ପୂର୍ବରୁ କେରଳରେ ଅନୁଷ୍ଠିତ ୧୫ତମ ଅନ୍ତର୍ଜାତୀୟ ଡକ୍ୟୁମେଣ୍ଟାରୀ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ଊତ୍ସବ (ଆଇଡିଏସଏଫଏଫକେ)ରେ ଏହା ପ୍ରଦର୍ଶିତ ହୋଇଥିଲା। ସେହିପରି ଇଣ୍ଡିଆନ ପାନୋରାମା ୨୦୨୩, ୫୪ତମ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ(ଆଇଏଫଏଫଆଇ) ପାଇଁ ଅଣ-ଫିଚର ବର୍ଗରେ ‘ଦ ସି ଆଣ୍ଡ ସେଭେନ ଭିଲେଜେସ’କୁ ଚୟନ କରାଯାଇଥିଲା ।

ସୂଚନା ଥାଉ କି, ଏକ ସମୟରେ ସାତଭାୟା ସାତୋଟି ଗାଁର ଏକ ମିଳିତ ଅଞ୍ଚଳ ଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହୋଇଥିବା ଏହି ଅଞ୍ଚଳର ପାଞ୍ଚଟି ଗାଁ ସମୟ ସହିତ ସମୁଦ୍ର ଗର୍ଭରେ ଲୀନ ହୋଇ ଯାଇଛି । ଏହା ଉପରେ ଗବେଷଣା କରି ହିମାଂଶୁ ଖଟୁଆ ‘ଦ ସି ଆଣ୍ଡ ସେଭେନ ଭିଲେଜେସ’ ଚଳଚ୍ଚିତ୍ରଟି ନିର୍ମାଣ କରିଛନ୍ତି ।

Leave A Reply

Your email address will not be published.