ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବରେ ବୁଲୁଥିଲା ଜନ୍ତୁ, କିଏ କହୁଛି ବାଘ ତ କିଏ କହୁଛି ବିଲେଇ ?

ରାଷ୍ଟ୍ରପତି ଭବନରେ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ତାଙ୍କ ସହ ଆଉ ୭୧ ଜଣ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ମନ୍ତ୍ରୀମାନେ ଶପଥ ନେବା ସମୟରେ ସମସ୍ତଙ୍କ ନଜର ରହିଥିବା ବେଳେ କ୍ୟାମେରାରେ କିଛି ଏମିତି ଦୃଶ୍ୟ ସାମ୍ନାକୁ ଆସିଥିଲା, ଯାହା ଭାଇରଲ ହେବାରେ ଲାଗିଛି ।

ଭାଇରଲ ଭିଡିଓରେ ଦୁର୍ଗାଦାସ ଶପଥ ନେଉଥିବା ବେଳେ ତାଙ୍କ ପଛ ପଟରେ କୌଣସି ଜନ୍ତୁ ବୁଲୁଥିବାର କ୍ୟାମେରାରେ କଏଦ ହୋଇଥିଲା । ଭାଇରଲ ହେଉଥିବା ଭିଡିଓରେ ଦେଖାଯାଉଥିବା ଜନ୍ତୁକୁ କିଏ ବିଲେଇ କହୁଛି ତ କିଏ ବାଘ ବୋଲି କହୁଛି ।

ଭାଇରଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ବିଜେପି ସାଂସଦ ଦୁର୍ଗା ଦାସ ଶପଥ ନେଇ ଦସ୍ତଖତ କରିବା ସହ ରାଷ୍ଟ୍ରପତିଙ୍କୁ ନମସ୍କାର କରୁଥିବା ବେଳେ କରିଡରକୁ ଜନ୍ତୁଟି ଅତିକ୍ରମ କରିଥିଲା । ମନ୍ତ୍ରୀ ଉଠି ରାଷ୍ଟ୍ରପତିଙ୍କ ଆଡକୁ ଯାଉଥିବା ବେଳେ ପଛରେ ଥିବା ସିଢି ଉପରେ ଏକ ଜନ୍ତୁ ଯିବାର ଦେଖିବାକୁ ମିଳିଛି । ତେବେ ଜନ୍ତୁଟି କ’ଣ ତାହା ଜଣାପଡିନାହିଁ । ଏହି ଭିଡିଓ ଭାଇରଲ ହେବା ପରେ ଲୋକେ ଏହାକୁ ବିଭିନ୍ନ ପ୍ରକାରର ଜନ୍ତୁଙ୍କ ନାମ କହୁଛନ୍ତି ।

ଏହି ଶପଥ ପାଠ କାର୍ଯ୍ୟକ୍ରମରେ ପଡ଼ୋଶୀ ଦେଶଗୁଡ଼ିକର ମୁଖ୍ୟମାନଙ୍କ ସମେତ ପ୍ରାୟ ୮ ହଜାର ଅତିଥି ଉପସ୍ଥିତ ରହିଥିଲେ।


ଭିଡିଓଟି The Analyzer (News Updates) ରେ ସେୟାର ହୋଇଛି । ଏହାକୁ ଦେଖିବା ପରେ ଜଣେ ୟୁଜର୍ସ ଭିଡିଓ ସେୟାର କରି କହିଛନ୍ତି, “ଏହା କ’ଣ ବାଘ ? ନା ସାଧାରଣ ବିଲେଇ କିମ୍ବା କୁକୁର ? ଯଦି ଏହା ବିଲେଇ, ତା’ହେଲେ ଠିକ ଅଛି ।

ଯଦି ଏହା ବାଘ, ତା’ହେଲେ ସୁରକ୍ଷାକର୍ମୀମାନେ କ’ଣ କରୁଛନ୍ତି ? ଏହାର ସୁରକ୍ଷାରେ ତ୍ରୁଟି । ରାଷ୍ଟ୍ରପତି ଭବନରେ ଏପରି ତ୍ରୁଟି ହୋଇଛି କି ?”

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଭବନରେ ବୃକ୍ଷଲତା ସହିତ ଜୀବଜନ୍ତୁର ଅନେକ ପ୍ରଜାତି ରହିଛନ୍ତି । ଅଫିସିଆଲ ୱେବସାଇଟ ଅନୁସାରେ ରାଷ୍ଟ୍ରପତି ଭବନରେ ଅନେକ ପଶୁପକ୍ଷୀ, ୧୩୬ ପ୍ରକାରର ଗଛ ଏବଂ ୮୪ ପ୍ରଜାତିର ଜୀବଜନ୍ତୁ ରହିଛନ୍ତି ।

Leave A Reply

Your email address will not be published.