ଘୁମେଇ ପଡ଼ିଲେ ଡ୍ରାଇଭର, ଡମ୍ପର ସହ ପଛପଟୁ ପିଟି ହେଲା ବସ୍; ଚାଳକଙ୍କ ସମେତ ୪ ମୃତ

ଉତ୍ତର ପ୍ରଦେଶର ଗାଜିପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଅଯୋଧ୍ୟାରୁ ରାମଲାଲାଙ୍କ ଦର୍ଶନ ସାରି ବିହାର ଫେରୁଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ବସ୍ଟି ଏକ ଡମ୍ପରକୁ ପଛପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବସ୍ ଚାଳକଙ୍କ ସମେତ ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି ।
ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କୁ ଗାଜିପୁର ଜିଲ୍ଲା ହସ୍ପିଟାଲ ନିଆଯାଇଥିବା ବେଳେ ଆଉ କେତେଜଣଙ୍କୁ ମଉ ପଠାଯାଇଛି । ମିଳିଥିବା ସୂଚନା ମୁତାବକ, ସୋମବାର ଭୋର୍ ପ୍ରାୟ ସାଢ଼େ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପୂର୍ବାଞ୍ଚଳ ଏକ୍ସପ୍ରେସ୍ୱେରେ ବାରାଚଭର ନିକଟସ୍ଥ ୩୧୯ ନମ୍ବର ଚ୍ୟାନେଲଠାରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ପରେ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଯାଇଛି ।
ପୋଲିସ ଅଧୀକ୍ଷକ ଓମ୍ବୀର ସିଂ କହିଛନ୍ତି ଯେ ବସ୍ଟି ଭାରସାମ୍ୟ ହରାଇ ପଛପଟୁ ଡମ୍ପରକୁ ଧକ୍କା ଦେଇଥିଲା । ଆହତ ସମସ୍ତଙ୍କର ଚିକିତ୍ସା ଚାଲିଛି । ପୋଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ବସ୍ରେ ଥିବା ଅନ୍ୟ ଯାତ୍ରୀମାନଙ୍କ କହିବା ହେଲା, ବସ୍ ଚାଳକ ସାମାନ୍ୟ ଘୁମେଇ ପଡ଼ିଥିଲେ, ଯାହାଫଳରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇଥିବା ଡମ୍ପରକୁ ପଛପଟୁ ଜୋର୍ରେ ଧକ୍କା ଦେଇଥିଲା ।
ପୋଲିସ ସୂଚନା ମୁତାବକ, ବସ୍ରେ ଥିବା ସମସ୍ତ ଯାତ୍ରୀ ବିହାରର ଭୋଜପୁର ଜନପଦର ବାସିନ୍ଦା । ସେମାନେ ରାମଲାଲାଙ୍କୁ ଦର୍ଶନ କରି ଅଯୋଧ୍ୟାରୁ ଘରକୁ ଫେରୁଥିଲେ ।
ଏହିପରି ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ କାର୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ରେ ବସିଥିବା ୪ ଜଣଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା । ପୋଲିସ ସୂଚନା ଅନୁସାରେ, ସମସ୍ତ ମୃତ ବ୍ୟକ୍ତି ୟୁଟ୍ୟୁବର୍ ବୋଲି ଚିହ୍ନଟ ହୋଇଛନ୍ତି । ସେମାନେ ‘ରାଉଣ୍ଡ ଟୁ ୱାର୍ଲ୍ଡ’ ନାମକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଲାଉଥିଲେ ।