ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ, ଚାଉନା ମୀନ ହେଲେ ଉପମୁଖ୍ୟମନ୍ତ୍ରୀ

ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି ପେମା ଖାଣ୍ଡୁ । ରାଜ୍ୟରେ ବିଜେପି ତୃତୀୟ ଥର ପାଇଁ ସରକାର ଗଢ଼ିଛି । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚାଉନା ମୀନ । ଖାଣ୍ଡୁଙ୍କ ସହ ମୋଟ ୧୧ ଜଣ ନେତା ମନ୍ତ୍ରୀ ପଦର ଶପଥ ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରେ ବିଧାନସଭାର ପୂର୍ବତନ ବାଚସ୍ପତି ପିଡି ସୋନା, ବିଜେପି ରାଜ୍ୟ ଅଧ୍ୟକ୍ଷ ବିୟୁରାମ ଓ୍ଵାହଗେ, ଦିବଂଗତ ପୂର୍ବତନ ମୁଖ୍ୟମନ୍ତ୍ରୀ କଲିଖୋ ପୁଲଙ୍କ ପତ୍ନୀ ଦାସଙ୍ଗଲୁ ପୁଲ ପ୍ରମୁଖ ରହିଛନ୍ତି ।

ଖାଣ୍ଡୁ କ୍ୟାବିନେଟ୍‌ରେ ଦାସଙ୍ଗଲୁ ପୁଲ୍‌ ଏକମାତ୍ର ମହିଳା ମନ୍ତ୍ରୀ । ମନ୍ତ୍ରୀମଣ୍ଡଳରେ ୮ ଜଣ ନୂଆ ଚେହେରା ସ୍ଥାନ ପାଇଛନ୍ତି । ବିଭାଗଗୁଡ଼ିକର ଆବଣ୍ଟନ ଆଜି କରାଯିବ । ଏହାପରେ ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ୍‌ ବୈଠକ ବସିବ ।

ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ସୀମାନ୍ତ ଜିଲ୍ଲା ତାଓ୍ଵାଙ୍ଗରେ ମୁକ୍ତୋ ଆସନରୁ ପୁନଃ ନିର୍ବାଚିତ ହୋଇଛନ୍ତି । ଦିନକ ପୂର୍ବରୁ ତାଙ୍କୁ ସର୍ବସମ୍ମତି କ୍ରମେ ବିଜେପି ବିଧାୟକ ଦଳର ନେତା ବଛାଯାଇଥିଲା । ଏହାପରେ ସେ ସରକାର ଗଠନର ଦାବି ଉପସ୍ଥାପନ କରିଥିଲେ ଏବଂ ଗୁରୁବାର ଶପଥ ଗ୍ରହଣ ସମାରୋହର ଆୟୋଜନ କରାଯାଇଥିଲା ।

୪୫ ବର୍ଷୀୟ ପେମା ଖାଣ୍ଡୁ ଏଥର ଭ୍ରଷ୍ଟାଚାର ମୁକ୍ତ ଶାସନର ସ୍ଲୋଗାନ ଦେଇଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ରାଜ୍ୟପାଳ କେଟି ପରନାୟକ ଖାଣ୍ଡୁଙ୍କ ସମେତ ସମଗ୍ର ମନ୍ତ୍ରୀମଣ୍ଡଳକୁ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି । ଏହି ଶପଥ ପାଠ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, କେନ୍ଦ୍ର ମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ସହ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ ।

ଅରୁଣାଚଳ ପ୍ରଦେଶର ୬୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୪୬ଟି ଆସନ ଜିତି ପୁଣିଥରେ କ୍ଷମତାକୁ ଫେରିଛି । ୨୦୧୯ରେ ବିଜେପି ରାଜ୍ୟରେ ୪୧ ଆସନରେ ବିଜୟ ହାସଲ କରିଥିଲା । କହି ରଖୁଛୁ, ରାଜ୍ୟରେ ଲୋକସଭା ନିର୍ବାଚନରେ ମଧ୍ୟ ଦଳ ସମସ୍ତ ଦୁଇଟି ଆସନରେ ଜିତିଛି ।

Leave A Reply

Your email address will not be published.