‘ନୀତୀଶ କୁମାରଙ୍କ ନେତୃତ୍ୱରେ ଲଢ଼ିବୁ ବିହାର ବିଧାନସଭା ନିର୍ବାଚନ’: ବିଜେପିର ବଡ଼ ଘୋଷଣା

୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । କେନ୍ଦ୍ରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି । ଏହାରି ଭିତରେ ବିହାର ବିଜେପି ଅଧ୍ୟକ୍ଷ ତଥା ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ଏକ ବଡ଼ ଘୋଷଣା କରିଛନ୍ତି ଯେ ଆମେ ନୀତୀଶ କୁମାରଙ୍କ ନେତୃତ୍ୱରେ ୨୦୨୫ ବିଧାନସଭା ନିର୍ବାଚନରେ ଲଢ଼ିବୁ । ସେମାନେ କହିଛନ୍ତି କି, ବିହାରରେ ୧୯୯୬ ମସିହାଠାରୁ ଆମେ ନୀତୀଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ୁଛୁ ।

ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା କହିଛନ୍ତି, ନୀତୀଶଙ୍କ ନେତୃତ୍ୱରେ ୨୦୨୫ରେ ନିର୍ବାଚନ ଲଢ଼ାଯିବ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଅଗ୍ନିବୀର ଯୋଜନାର ସମୀକ୍ଷା ନେଇ ଜେଡିୟୁର ଦାବି ଉପରେ ବିଜୟ ସିହ୍ନା କହିଛନ୍ତି ଯେ ‘ଏହା କୌଣସି ପ୍ରସଙ୍ଗ ନୁହେଁ । ବର୍ତ୍ତମାନ ପ୍ରସଙ୍ଗ ହେଉଛି, ଦେଶ ଅଧିକ ଶକ୍ତିଶାଳୀ ଭାବେ ଆଗକୁ ବଢ଼ିବା ଦରକାର । ଏନ୍‌ଡିଏ ହେଉଛି ସାମୂହିକ ନେତୃତ୍ୱର ଏକ ଦଳ ଏବଂ ସାମୂହିକ ନେତୃତ୍ୱ ମିଳିମିଶି କାମ କରନ୍ତି’ ।

କହି ରଖୁଛୁ, ଲୋକସଭା ନିର୍ବାଚନର ଫଳାଫଳ ପରେ ନୀତୀଶ କୁମାର ଓ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ କିଙ୍ଗ୍‌ମେକର ଭାବରେ ଉଭା ହୋଇଛନ୍ତି ।

ନିର୍ବାଚନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ନୀତିଶ କୁମାରଙ୍କ ଜେଡିୟୁର ଗୁରୁତ୍ୱ ଏନଡିଏରେ ବଢିଯାଇଛି । ଆଉ ଏଥିପାଇଁ ଏହି ଦୁଇଟି ଦଳ ଏବେ ପ୍ରମୁଖ ମନ୍ତ୍ରଣାଳୟ ଦାବି କରୁଛନ୍ତି । ଟିଡିପି ସୂତ୍ରରୁ ଜଣାପଡିଛି କି, ପାର୍ଟି ଏନଡିଏ ଆଗରେ ୬ଟି ବଡ ମନ୍ତ୍ରଣାଳୟ ଦାବି କରିଛି । ଟିଡିପି ଲୋକସଭା ସ୍ପିକର ପଦ ଚାହୁଁଛି ।

ସେହିଭଳି ନୀତୀଶ କୁମାର ମଧ୍ୟ ୩ଟି ପ୍ରମୁଖ ମନ୍ତ୍ରଣାଳୟ ଦାବି କରିଛନ୍ତି । ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ସହିତ ରେଳ, କୃଷି ଏବଂ ଅର୍ଥ ମନ୍ତ୍ରଣାଳୟ ଦାବି କରିଛନ୍ତି । ଏହା ମଧ୍ୟରେ ରେଳ ମନ୍ତ୍ରଣାଳୟକୁ ସବୁଠାରୁ ଅଧିକ ପ୍ରାଥମିକତା ଦିଆଯାଇଛି ।

Leave A Reply

Your email address will not be published.