କରୋନା ମହାମାରୀ ଯୋଗୁଁ ରାଜ୍ୟରେ କମିବ କି ସ୍କୁଲ ଫି! ହାଇକୋର୍ଟରେ ଆଜି ହେବ ଶୁଣାଣି

କଟକ: କରୋନା ମହାମାରୀ ଯୋଗୁଁ ରାଜ୍ୟରେ କମିବ କି ସ୍କୁଲ ଫି! ହାଇକୋର୍ଟରେ ଆଜି ହେବ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ସାତଟି ସ୍ଲାବରେ ଫି’ ହ୍ରାସ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ପ୍ରସ୍ତାବ ରଖିଛନ୍ତି । ଓଡିଶା ଅବିଭାବକ ମହାସଂଘ କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ଼ କରିବାକୁ ହାଇକୋର୍ଟରେ ରୁଜୁ କରିଛି ମାମଲା । ଗତ ସେପ୍ଟେମ୍ବର ୧ ତାରିଖରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଏହାର ଅପୋଷ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ, ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ ସଂଘ ଓ ଅବିଭାବକ ମହାସଂଘର ମିଳିତ ବୈଠକ ଆୟୋଜନ ହୋଇଥିଲା ।

ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ କିଛି ପ୍ରତିଶତ ସ୍କୁଲ ଫି କମାଇଦେବାକୁ ସ୍କୁଲ ଗୁଡିକୁ ଅନୁରୋଧ କରିଥିଲେ । ବୈଠକରେ ସକରାତ୍ମକ ଆଲୋଚନା ହେବା ସହ ବୈଠକରେ ବାହାରିଥିବା ର୍ନିର୍ଯାସକୁ ନେଇ ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ଏକ ରିପୋର୍ଟ ଉପସ୍ଥାପିତ ହୋଇଥିଲା । ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ସରକାର କରିଥିବା ଏମଓୟୁ ଅନୁଯାୟୀ, ବାର୍ଷିକ ୬ ହଜାର ଫି ଦେଉଥିବା ଛାତ୍ରଛାତ୍ରୀଙ୍କ କୌଣସି ଛାଡ଼ ହେବନାହିଁ ।

୬ ହଜାରରୁ ୧୨ ହଜାର ପର୍ଯ୍ୟନ୍ତ ୭.୫ ପ୍ରତିଶତ, ୧୨ ହଜାରରୁ ୨୪ ହଜାର ପର୍ଯ୍ୟନ୍ତ ୧୨ ପ୍ରତିଶତ, ୨୪ ହଜାରରୁ ୪୮ ହଜାର ପର୍ଯ୍ୟନ୍ତ ୧୫ ପ୍ରତିଶତ, ୪୮ ହଜାରରୁ ୭୨ ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ, ୭୨ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଓ ୧ ଲକ୍ଷରୁ ଅଧିକ ଥିଲେ ୨୬ ପ୍ରତିଶତ ଫି କମାଇବାକୁ ସରକାର ଚୁକ୍ତି କରିବା ସହ ଗତ ୨୯ ତାରିଖରେ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଥିଲେ । ଏହି ରିପୋର୍ଟ ଦାଖଲ ପରେ ହାଇକୋର୍ଟ ଟିଉସନ ଫି’ର କିଛି ପ୍ରତିଶତ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଚାର୍ଜ କମାଇବାକୁ ନିର୍ଦ୍ଦେଶ ଦେଇ ପାରନ୍ତି ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.