ଆଜି ଆନ୍ତର୍ଜାତିକ ଆର୍ଟ ଅଫ ଗିଭିଂ ଦିବସ: ନିଃସ୍ୱାର୍ଥପର ଦାନ ମାଧ୍ୟମରେ ସମାଜରେ ଭଲ ପାଇବା ଓ ଖୁସି ବାଣ୍ଟିବା

ଆଜି ମେ ୧୭ ତାରିଖ। ଆନ୍ତର୍ଜାତିକ ଆର୍ଟ ଅଫ ଗିଭିଂ ଦିବସ। ଖୁସି, ସମ୍ପ୍ରୀତି, ସୌହାର୍ଦ୍ଦ୍ୟର ପ୍ରଚାର ଓ ପ୍ରସାର ପାଇଁ ପାଳିତ ହେଉଛି ଏହି ଦିବସ। ନିଃସ୍ୱାର୍ଥପର ଦାନ ମାଧ୍ୟମରେ ସମାଜରେ ଭଲ ପାଇବା ଓ ଖୁସି ବାଣ୍ଟିବା ଉଦ୍ଦେଶ୍ୟରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ସାଧୁ ଉଦ୍ୟମରେ ୨୦୧୩ ଆଜିର ତାରିଖରେ ଆରମ୍ଭ ହୋଇଥିଲା ଆର୍ଟ ଅଫ ଗିଭିଂ ଦିବସ। ବିଶ୍ୱବ୍ୟାପୀ ପାଳିତ ହେଉଛି ଏହି ଦିବସ । ଲକ୍ଷଲକ୍ଷ ବ୍ୟକ୍ତି ଏହି ଚିନ୍ତାଧାରାରେ ସାମିଲ ହୋଇଛନ୍ତି। ଆଜି ଆର୍ଟ ଅଫ ଗିଭିଂର ନବମ ପ୍ରତିଷ୍ଠା ଦିବସ। କୋଭିଡ୍‌ ପ୍ରକୋପ ଯୋଗୁ ଦୁଇ ବର୍ଷ ହେବ ସାର୍ବଜନୀନ ଭାବେ ପାଳନ ହୋଇ ନଥିଲା ଆର୍ଟ ଅଫ ଗିଭିଂ। ୨ ବର୍ଷ ପରେ ପୁଣି ଥରେ ଉତ୍ସାହ ଓ ଆନନ୍ଦର ସହ ବିଶ୍ୱର କୋଣଅନୁକୋଣରେ ଆର୍ଟ ଅଫ ଗିଭିଂ ପାଳନ କରୁଛନ୍ତି ଲକ୍ଷାଧିକ ଲୋକ।

ଆର୍ଟ ଅଫ ଗିଭିଂର ନବମ ପ୍ରତିଷ୍ଠା ଦିବସ ଅବସରରେ ଡ.ଅଚ୍ୟୁତ ସାମନ୍ତ ବାର୍ତ୍ତା ଦେଇ କହିଛନ୍ତି, ଗତ ୨ ବର୍ଷ ହେଲା ଆମେ କଠିନ ସମୟ ଦେଇ ଗତି କରୁଛୁ। କିନ୍ତୁ ଆଶା ହାରି ନାହୁଁ। ଭଲ ପାଇବା, ଦୟା, ସହାନୁଭୂତି ଓ କୃତଜ୍ଞତା ଜରିଆରେ ଆମ ପାଖରେ ଅସଂଖ୍ୟ ବାଟ ରହିଛି ପରସ୍ପର ସହ ଯୋଡି ହେବାକୁ ଓ ସାହାଯ୍ୟ କରିବାକୁ। ଆଶାକୁ ନେଇ ବଞ୍ଚିବା ଦ୍ୱାରା ସମାଜରେ ଶାନ୍ତି ଓ ଆନନ୍ଦର ବାର୍ତ୍ତା ଦେବା ପାଇଁ ଅନେକ ସୁଯୋଗ ସୃଷ୍ଟି ହେବ।

ପ୍ରତିବର୍ଷ ଆର୍ଟ ଗିଭିଂ ଦିବସରେ ସ୍ୱତନ୍ତ୍ର ଥିମ୍‌ ଥାଏ। ଚଳିତ ବର୍ଷର ଆର୍ଟ ଅଫ ଗିଭିଂର ଥିମ ରହିଛି-ହୋପ୍‌-ହାପିନେସ୍‌-ହାର୍‌ମୋନୀ। ଆଶା-ଆନନ୍ଦ-ସମ୍ପ୍ରୀତି। ଗୋଟିଏ ଗଛ ଲଗାନ୍ତୁ, ପ୍ରକୃତି ମାଆର ସୁରକ୍ଷା ପାଇଁ ଏହା ହେବ ଆଶାର ପ୍ରତୀକ। ଅନ୍ୟମାନଙ୍କ ସହ ଭଲରେ କଥା ହୋଇ ଖୁସି ବାଣ୍ଟନ୍ତୁ। ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ପ୍ରତୀକ ଭାବେ ଗୋଟିଏ ପେନ୍‌ ଦିଅନ୍ତୁ। ଶିକ୍ଷା ଯାହା ସମାଜରେ ଏକ ସଦ୍‌ଭାବ ସୃଷ୍ଟି କରିବ। ଏହାକୁ ନେଇ ଆଜି ଦେଶ-ବିଦେଶରେ ଅନେକ ସ୍ଥାନରେ ପାଳିତ ହେଉଛି ଆର୍ଟ ଅଫ ଗିଭିଂ ଦିବସ। ସଂଧ୍ୟାରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଆର୍ଟ ଗିଭିଂର ନବମ ବାର୍ଷିକ ସମାରୋହ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.