ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ଆଜି କୃଷ୍ଣ-ବଳରାମ ବେଶ ହେବେ ଶ୍ରୀଜିଉ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ । ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ମହାପ୍ରଭୁ ଜଗନ୍ନାଥଙ୍କୁ କୃଷ୍ଣ ଓ ବଳଭଦ୍ରଙ୍କୁ ବଳରାମ ରୂପରେ ସୁସଜ୍ଜିତ କରାଯିବ ।

ପୁରୀ (କେନ୍ୟୁଜ): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ । ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ମହାପ୍ରଭୁ ଜଗନ୍ନାଥଙ୍କୁ କୃଷ୍ଣ ଓ ବଳଭଦ୍ରଙ୍କୁ ବଳରାମ ରୂପରେ ସୁସଜ୍ଜିତ କରାଯିବ । ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନ ଭିନ୍ନ ଆୟୁଧ ସହ ପଦ୍ମାସନରେ ଉପବେଶନ କରିବେ। ମଧ୍ୟାହ୍ନ ଧୂପ ପରେ ଏହି ବେଶ ଆରମ୍ଭ ହେବ । ଜଗନ୍ନାଥଙ୍କ ଗୋଟିଏ ହାତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହାତରେ ପଦ୍ମ ଫୁଲ ଶୋଭାପାଏ । ବଳରାମଙ୍କ ଡାହାଣ ହାତରେ ଶିଙ୍ଘ ଓ ବାମ ହାତରେ ପଦ୍ମ ଫୁଲ ମଧ୍ୟ ଶୋଭାପାଏ । କିରୀଟ ଉପରେ ସୋଲରେ ନିର୍ମିତ ସପ୍ତଫେଣିଆ ସାପ ବିରାଜମାନ କରିଥାଏ ।

ଏହି ବେଶରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥାନ୍ତି । ସେହି ପାଗ ଦ୍ୱୟ କିରୀଟଯୁକ୍ତ ହୋଇଥାଏ । ରତ୍ନ ସିଂହାସନ ଉପରେ ଖଞ୍ଜା ଯାଇଥିବା ଏକ କ୍ଷୁଦ୍ରକାଷ୍ଠ ନିର୍ମିତ ତଥା ଜରି ଜମ୍ବୁରାରେ ଆଚ୍ଛାଦିତ ସିଂହାସନରେ ଚକାମୁଣ୍ଡି ପକାଇ ପ୍ରଭୁ ପଦ୍ମାସନରେ ଉପନିବେଶ କରିଥାନ୍ତି । ବାଙ୍କଚୂଳ କିରୀଟ ଉପରେ ପତ୍ରଲଗା କଦମ୍ବ ଫୁଲ ଶୋଭାପାଏ । ଏହି ବେଶରେ ଶ୍ରୀପୟର, ପାଉଁଜି,ବାଙ୍କି,ପାହୁଡ଼, ଗୋଡ଼ମୁଦି,ମଲ୍ଲୀକଢ଼,ଚନ୍ଦ୍ର, ଚିତା,ନାକଚଣା,ହାତଫେର,ଖଡୁ ଇତ୍ୟାଦିରେ ସାରା ଶରୀର ମହାପ୍ରଭୁଙ୍କ ଶୋଭା ପାଇଥାଏ । ସୁଭଦ୍ରାଙ୍କ ମସ୍ତକରେ ମଧ୍ୟ ଏକ କିରୀଟ ଶୋଭାପାଏ । ଏହି ବେଶରେ ମହାପ୍ରଭୁଙ୍କ ପାଖରେ ଖିରି ଓ ଅମାଲୁ ଭୋଗ ଲାଗିଥାଏ । ମଧ୍ୟହ୍ନ ଧୂପ ପରେ ଏହି ବେଶ ଆରମ୍ଭ ହୋଇ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଚାଲିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.