ଆଜି କୁମାର ପୂର୍ଣ୍ଣିମା:  ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ, ସନ୍ଧ୍ୟାରେ କରିବେ ଚାନ୍ଦ ପୂଜା

ବେଗୁନିଆ (କେନ୍ୟୁଜ): ଆଜି କୁମାର ପୂର୍ଣ୍ଣିମା। ଏହି ଅବସରରେ ବେଗୁନିଆ ଅଞ୍ଚଳରେ ସକାଳୁ ସକାଳୁ କୁମାରୀ ଝିଅମାନେ ଉଦୟ ସୂର୍ଯ୍ୟଙ୍କୁ ପୂଜା କରିଛନ୍ତି। ଭୋରରୁ ନୂଆ ଡ୍ରେସ ପିନ୍ଧି ଚଉରା ମୂଳେ ଆଞ୍ଜୁଳା ଟେକିଛନ୍ତି। କୁଲାରେ ୭ ପ୍ରକାର ଫଳ ମୂଳ ଓ ଖଇ, ଲିଆ ଧରି ପୂଜା କରିଛନ୍ତି। ଦିନସାରା ଉପବାସ ରଖିବା ପରେ ରାତିରେ ଚାନ୍ଦ ପୂଜା କରି ଉପବାସ ଭାଙ୍ଗିବେ। ବିଶ୍ୱାସ ରହିଛି ଏହି ପୂଜା କଲେ କୁମାରୀ ମାନଙ୍କୁ କାର୍ତ୍ତିକଙ୍କ ଭଳି ସୁନ୍ଦର ଏବଂ ଭଲ ବର ମିଳିଥାଏ।

ସେହିପରି ଆଜିର ଦିନରେ ମା’ ମହାଲକ୍ଷ୍ମୀ ଦେବୀଙ୍କର ଆରଧନା କରାଯାଇଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ। ଓଡ଼ିଶାର ଘରେ ଘରେ ଝିଅ ମାନେ କୁମାର ପୂର୍ଣ୍ଣିମା ପାଳନ କରୁଛନ୍ତି। ସେହିଭଳି ମଣ୍ଡପରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ । ଏହି ଦିନ କୁମାରୀ ଝିଅ ମାନେ ତୁଳସୀ ଚଉରା ମୂଳରେ ପୂଜା କରନ୍ତି।ଏହାକୁ ଜହ୍ନିଓଷା କୁହାଯାଏ ।
ସକାଳୁ ସକାଳୁ ଗାଧୋଇ ନୂଆ ବସ୍ତ୍ର ପରିଧାନ କରି ଆଞ୍ଚୁଳିରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଧେଶ୍ୟରେ ଅପଣ କରିଥାନ୍ତି। ଏହି ବିଧିକୁ ଆଞ୍ଜୁଳା ଟେକା ବିଧି କୁହାଯାଏ। ଏହା ସହ ସେମାନେ ସନ୍ଧ୍ୟା ସମୟରେ ଚନ୍ଦ୍ର ପୂଜା କରନ୍ତି।

ତୁଳସୀ ଚଉରା ଆଗରେ ପୂଜା ଓ ବନ୍ଦାପନା ହୋଇଥାଏ। ଭୋଗ ପାଇଁ ଖଇ, ନଡିଆ, କଦଳୀ, ଛେନା, ଦହି, କ୍ଷୀର, ମହୁ, ଘିଅ, ଆଖୁ, ଗାଜାମୁଗ, ଚିନି ଇତ୍ୟାଦି ପଡି ଏକ ଚକଟା ପ୍ରସ୍ତୁତ କରାଯାଏ ସେହି ଚକଟାରେ ଚାନ୍ଦ ତିଆରି କରାଯାଇଥାଏ। ପୂରାଣରେ କଥିତ ଅଛି ଯେ ତୁଳସୀ ଦେବି ଜଣେ ପରମ ପତୀବ୍ରତା ନାରୀ ଥିଲେ । ତାଙ୍କର ପତୀବ୍ରତା ଗୁଣ ଯୋଗୁଁ ହିଁ ତାଙ୍କ ବୃକ୍ଷ ରୂପରେ ପୂଜା ପାଇବା ବର ମିଳିଥିଲା। ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଚଉରା ପୂଜା କରି ଆସୁଛନ୍ତି। ତେଣୁ କୁମାର ପୂର୍ଣ୍ଣିମାରେ ମଧ୍ୟ ଚଉରା ପୂଜା କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.