Below header

ମହାପ୍ରଭୁଙ୍କ ପବିତ୍ର ସୁନାବେଶ : ଲୋକଙ୍କ ଭିଡ଼କୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୁରୀ : ଜନ୍ମବେଦୀ ଲୀଳା ସାରି ଶ୍ରୀମନ୍ଦିର ଅଭିମୁଖେ ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସିଂହଦ୍ୱାର ଆଗରେ ଏବେ ତିନି ରଥ । ଆଜି ହରିଶୟନ ଏକାଦଶୀ । ମହାପ୍ରଭୁଙ୍କ ପବିତ୍ର ସୁନାବେଶ । ରଥ ଉପରେ ସୁନାବେଶ ବା ବଡ଼ ତଢ଼ାଉ ବେଶରେ ଦର୍ଶନ ଦେବେ ମହାବାହୁ । ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରେ ବିଭୂଷିତ ହୋଇ ଶ୍ରୀଜିଉ ଝଟକିବେ । ଆଜି ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ପୁରୀରେ ୧୦ ଲକ୍ଷରୁ ଅଧିକ ଲୋକଙ୍କର ସମାଗମ ହେବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ, ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଓ ପାର୍କିଂ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତିନି ରଥକୁ ବ୍ୟାରିକେଡ୍ ମଧ୍ୟରେ ରଖାଯିବା ସହ ରାପିଡ୍ ଆକ୍ସନ ଫୋର୍ସ, ଓଡ଼ିଶା ସ୍ୱିଫ୍ଟ ଆକ୍ସନ ଫୋର୍ସ, ଏସ୍ଓଜି ଯବାନ ମୁତୟନ ହେବେ । ମରିଚିକୋଟ ଛକରୁ ବ୍ୟାରିକେଡ୍ କରାଯାଇ ଭକ୍ତମାନଙ୍କୁ ଗୋଟିଏ ପଟେ ପ୍ରବେଶ ଓ ଅନ୍ୟପଟେ ପ୍ରସ୍ଥାନ ବ୍ୟବସ୍ଥା କରାଯିବ । ସଂଧ୍ୟା ୫ଟାରୁ ରାତି ୧୧ଟା ଯାଏଁ ସୁନାବେଶ ଦର୍ଶନ ପାଇଁ ସିଂହଦ୍ୱାରରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଛି । ଘୋଷଯାତ୍ରା ଓ ବାହୁଡ଼ା ଯାତ୍ରାରେ ଥିବା ସମସ୍ତ ୧୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ।

ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଣ୍ଟ କରାଯାଇଛି । ଆଜି ସକାଳ ୬ଟାରୁ ୬ ଟା ୩୦ ମଧ୍ୟରେ ତିନି ରଥରେ ମଙ୍ଗଳ ଆଳତି ସରିବା ପରେ ଦିନ ୮ଟାରେ ଅବକାଶ ନୀତି ହେବ । ଏହାପରେ ୧୦ଟାରୁ ୧୦ଟା ୩୦ ମଧ୍ୟରେ ଗୋପାଳବଲ୍ଲଭ, ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପନୀତି ସଂପନ୍ନ କରାଯିବ । ଅପରାହ୍ଣ ୪ଟାରେ ସଂଧ୍ୟା ଆଳତି, ୫ଟାରୁ ୬ଟା ୩୦ ମଧ୍ୟରେ ଶ୍ରୀଜିଉ ସୁନାବେଶରେ ଦର୍ଶନ ଦେବେ । ରାତି ୧୧ଟାରେ ସୁନାବେଶ ମଇଲମ ଓ ରାତି ୧୨ଟାରେ ବଡ଼ସିଂହାର ବେଶ କରାଯିବ । ଶ୍ରଦ୍ଧାଳୁମାନେ ସଂଧ୍ୟା ୫ଟାରୁ ରାତି ୧୧ଟା ପର୍ୟ୍ୟନ୍ତ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦର୍ଶନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.