Below header

ଦୁଇ ହଜାର ଟଙ୍କା ନଦେଲେ ଦଶ ହଜାର ଫାଇନ କାଟିବି, ଜୋର ଜବରଦସ୍ତି ବଟି ଆଦାୟର ଭାଇରଲ ଭିଡିଓକୁ ନେଇ ଚର୍ଚ୍ଚାରେ ଟମକା ପୋଲିସ 

ଭାଇରଲ  ହେଉଛି ପୋଲିସ ସବ୍ ଇନ୍ସପେକ୍ଟରଙ୍କ ଭିଡିଓ । ଦୁଇ ହଜାର ଟଙ୍କା ନଦେଲେ ଦଶ ହଜାର ଫାଇନ କାଟିବି ବୋଲି କହି ଧମକ ଦେଉଛନ୍ତି ଏହି ପୋଲିସ ବାବୁ । ଟ୍ରକ ଡ୍ରାଇଭରଙ୍କୁ ଦୁଇ ହଜାର ଟଙ୍କା ଦେବାକୁ ବାଧ୍ୟ କରୁଥିବା ବେଳେ ପୋଲିସ ଅଧିକାରୀଙ୍କ ଭିଡିଓ ଭାଇରାଲ୍ । କରୋନା କଟକଣା ସମୟରେ ସାଧା ଡ୍ରେସରେ ପୋଲିସ ଗାଡିକୁ ନିଜ ପୈତୃକ ସମ୍ପତ୍ତି ଭଳି ବ୍ୟବହାର କରି ରାସ୍ତା କଡରେ ଗାଡି ଚାଳକଙ୍କୁ ଗାଳି ଦେଉଥିବା ଏହି ପୋଲିସ ଅଧିକାରୀ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ଟମକା ଥାନାର ସବ ଇନ୍ସପେକ୍ଟର ମହମ୍ମଦ ସୂରଜ ।

ଟମକା ଥାନାରେ ସେକେଣ୍ଡ ଅଫିସର ଭାବେ କାର୍ଯ୍ୟରତ ଏହି ବାବୁ ଜଣଙ୍କୁ ଥରେ ଦେଖନ୍ତୁ । ସାଧା ପୋଷାକରେ ରହି ମାସ୍କ ନ ପିନ୍ଧି ନିଜେ କରୋନା ନିୟମ ଭାଙ୍ଗିଛନ୍ତି । ତାପରେ ବି କାହିଁକି ଗାଡି ଦ୍ରୁତ ଗତିରେ ଚଳାଇଲ ବୋଲି କହି ଦୁଇ ହଜାର ବାହାର କର ବୋଲି ଦାବି କରୁଛନ୍ତି । ଖାଲି ସେତିକି ନୁହେଁ ଦୁଇ ହଜାର ନଦେଲେ 10 ହଜାର ଫାଇନ କରାଯିବ ବୋଲି ଧମକ ଦେବା ମଧ୍ୟ ଭିଡିଓରେ ସ୍ପଷ୍ଟ ରହିଛି । ସାଧା ପୋଷାକରେ ସରକାରୀ ହଳଦିଆ ବତୀ ଗାଡିରେ ବସି ଫାଇନ କାଟିବି କହୁଥିବା ଅଧିକାରୀ ଜଣଙ୍କ ଡ୍ରାଇଭରଙ୍କୁ ଅସଭ୍ୟ ଭାଷା କହି ଗାଳି ମଧ୍ୟ ଦେଉଛନ୍ତି । ତେବେ ସବୁଠାରୁ ବଡ଼କଥା ହେଉଛି ଡ୍ରାଇଭର୍ ଜଣଙ୍କ ତାଙ୍କ ମା ମରି ଯାଇଛନ୍ତି ବୋଲି କହି ଅଧିକାରୀଙ୍କ ପାଖରେ କାକୁତି ମିନତି ହେଉଥିବା ବେଳେ ତୋ ମା ମଲା ମୁଁ କଣ କରିବି ବୋଲି କହୁଛନ୍ତି ପୋଲିସ ବାବୁ । ଶେଷରେ ଟଙ୍କା କାଢି ଥାନା ବାବୁଙ୍କୁ ଡ୍ରାଇଭର ଜଣଙ୍କ ବଢେଇ ଦେବାର ଦୃଶ୍ୟ ଆପଣ ସ୍ପଷ୍ଟ ଦେଖିପାରୁଥିବେ ଏହି ଭିଡିଓରେ । ତେବେ ଏ ଭିଡିଓ ଭାଇରଲ ହେବାପରେ ଯାଜପୁର SP ଏବଂ ଟମକା ଥାନା IIC ଏ କଥାକୁ ଖଣ୍ଡନ କରିଛନ୍ତି । ସେମାନଙ୍କର କହିବା ଅନୁଯାୟୀ ବର୍ତ୍ତମାନ ସିଭିଲ ଡ୍ରେସରେ ମଧ୍ୟ ଫାଇନ ଆଦାୟ ହେଉଛି । ଏହାସହିତ IIC କହିଛନ୍ତି ଯେ ଆମେ ନିଜେ ତାଙ୍କୁ ପଠାଇଥିଲୁ । ତେବେ ଏ କଥା ସତ କି ମିଛ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ କିନ୍ତୁ କିଛି ମାନବାଧିକାର କର୍ମୀ ଟ୍ୱିଟ ଜରିଆରେ ଏହି ଘଟଣାର ଉପରସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.