Below header

ନୂଆ ରୋଜଗାର ସୃଷ୍ଟି କରିବ ଖେଳନା କମ୍ପାନୀ ଲିଟିଲ୍ ଫିଙ୍ଗର, ଭିନ୍ନକ୍ଷମ ମହିଳା ହେବେ ଉପକୃତ

୨୦୨୪ ବର୍ଷ ଆରମ୍ଭରୁ ହିଁ ବେଙ୍ଗାଲୁରୁରେ ନୂଆ ଅଫିସ୍ ର ଶୁଭାରମ୍ଭ ହୋଇଛି । ଏହା ଦ୍ୱାରା ଲିଟିଲ୍ ଫିଙ୍ଗର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଭିନ୍ନ କ୍ଷମ ମହିଳା ମାନଙ୍କ ପାଇଁ ଆଣିଛି ନୂଆ ସୁଯୋଗ । ଭିନ୍ନକ୍ଷମ ମହିଳା ମାନଙ୍କୁ ଚାକିରି ଦେବା ସହ ସେମାନଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବ ଲିଟିଲ୍ ଫିଙ୍ଗର୍‌ ।

ଓଡ଼ିଆ ଯୁବ ଉଦ୍ୟୋଗପତି ଶିଳ୍ପ କ୍ଷେତ୍ରରେ ଆଣିଛନ୍ତି ନୂଆ ସୁଯୋଗ। ନୂଆ ଚାକିରି ସହିତ ଖେଳନା ତିଆରି କରିବାରେ ଦେଶରେ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି ଯୁବ ଉଦ୍ୟୋଗପତି । ଚୀନ୍‌ ସାମଗ୍ରୀକୁ ଭୁଲି ଆମ ଭାରତରେ ଖେଳନା ପ୍ରସ୍ତୁତ କରିବା ପାଇଁ ତାଙ୍କ ଉଦ୍ୟମ ଜାରି ରହିଛି । ଓଡିଶାର ବଲାଙ୍ଗୀରର ଯୁବ ଉଦ୍ୟୋଗପତି ପ୍ରବୀଣ ଅଗ୍ରୱାଲ, ଯିଏ ଆଜି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଭିନ୍ନ କ୍ଷମ ମହିଳାମାନଙ୍କ ପାଇଁ ଆଣିଛନ୍ତି ଚାକିରି ସୁଯୋଗ ।

ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ସଇଁତଳା ପ୍ରବୀଣ ଅଗ୍ରୱାଲ ଏବେ ଦେଶରେ ଜଣେ ଜଣାଶୁଣା ଉଦ୍ୟୋଗ ପତି ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ପ୍ରଥମରୁ ସମାଜ ପାଇଁ କିଛି କରିବା ଉଦେଶ୍ୟରେ ୨୦୦୪ରେ ପ୍ରବୀଣ ଅଗ୍ରୱାଲ ୟୁ କେ ରେ ଏମବିଏ ସାରିବା ପରେ ପ୍ରଥମେ ସେହିଠାରେ ଏକ ମାର୍କେଟିଂ କମ୍ପାନୀରେ ଚାକିରି କରିଥିଲେ। କିନ୍ତୁ ତାଙ୍କର ଲକ୍ଷ ଥିଲା ବ୍ୟବସାୟ ଆଉ କିପରି ଲୋକମାନଙ୍କୁ ରୋଜଗାର ଦେବେ ସେଥିପାଇଁ ଗୋଟିଏ ବର୍ଷ ପରେ ବେଙ୍ଗାଲୁରୁ ଫେରି ଆସିଥିଲେ । ପରେ ୨୦୦୬ ମସିହାରେ ବେଙ୍ଗାଲୁରୁରେ ମାତ୍ର ଦୁଇଜଣଙ୍କ ସହଯୋଗରେ ଖେଳନା ବ୍ୟବସାୟ ଆରମ୍ଭ କରିଥଲେ । ଧିରେ ଧିରେ ବ୍ୟବସାୟ ବଢ଼ିବାରେ ଲାଗିଲା । ୨୦୦୮ ମସିହାରେ ପ୍ରବୀଣଙ୍କ ବିବାହ ପରେ ପତ୍ନୀ ପ୍ରିୟା ଅଗ୍ରୱାଲଙ୍କ ସହଯୋଗ ତାଙ୍କୁ ଆଗକୁ ବଢ଼ିବାରେ ଆହୁରି ସହାୟତା ମିଳିଲା ।

କର୍ଣ୍ଣାଟକ ସରକାରଙ୍କ ସହଯୋଗରେ ୨୦୧୬ ମସିହାରେ ବେଙ୍ଗାଲୁରୁ ଜକସନ୍ଦ୍ରା ଇଣ୍ଡଷ୍ଟ୍ରି ଅଞ୍ଚଳରେ ଆରମ୍ଭ ହେଲା ନୂଆ କମ୍ପାନୀ ଲିଟିଲ୍ ଫିଙ୍ଗର୍ । ଏହି କମ୍ପାନୀରେ ଏବେ ପ୍ରାୟ ୩୦୦ କର୍ମଚାରୀ ଅଛନ୍ତି । ଭରତରେ ଖେଳନା ପ୍ରସ୍ତୁତକାରୀ କମ୍ପାନୀ କମ୍ ଥିବାରୁ ଲିଟିଲ୍ ଫିଙ୍ଗର ପାଦ ଥାପିବାରେ ସକ୍ଷମ ହୋଇପାରିଛି । ଏହି କମ୍ପାନୀ ସାହାଯ୍ୟରେ ନୂଆ ରୋଜଗାର ସୃଷ୍ଟି ହେବ । ଏହି ପ୍ରଚେଷ୍ଟାରେ ଅଛନ୍ତି ଲିଟିଲ୍ ଫିଙ୍ଗର୍ ର ପ୍ରତିଷ୍ଠାତା ପ୍ରବୀଣ ଅଗ୍ରୱାଲ ।
ସରକାରଙ୍କ ସହାୟତାରେ ଦିଲ୍ଲୀ, ମୁମ୍ବାଇ, କାଠମାଣ୍ଡୁ ଭଳି ସ୍ଥାନରେ ପ୍ରଦର୍ଶନୀରେ ଭାଗ ନେଉଛି ଲିଟିଲ୍ ଫିଙ୍ଗର୍ । ୨୦୨୦ ମସିହାରେ ଜର୍ମାନୀରେ ଅନୁଷ୍ଠିତ ପ୍ରଦର୍ଶନୀରେ ଭାରତକୁ ଲିଟିଲ୍ ଫିଙ୍ଗର ରିପ୍ରେଜେଣ୍ଟ କରିଥିଲା । ଲିଟିଲ୍ ଫିଙ୍ଗରର ପ୍ରଶଂସା ଏବେ କେବଳ ଭାରତ ନୁହେଁ ବିଦେଶରେ ବି ହେଉଛି ।

୨୦୨୪ ବର୍ଷ ଆରମ୍ଭରୁ ହିଁ ବେଙ୍ଗାଲୁରୁରେ ନୂଆ ଅଫିସ୍ ର ଶୁଭାରମ୍ଭ ହୋଇଛି । ଏହା ଦ୍ୱାରା ଲିଟିଲ୍ ଫିଙ୍ଗର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଭିନ୍ନ କ୍ଷମ ମହିଳା ମାନଙ୍କ ପାଇଁ ଆଣିଛି ନୂଆ ସୁଯୋଗ । ଭିନ୍ନକ୍ଷମ ମହିଳା ମାନଙ୍କୁ ଚାକିରି ଦେବା ସହ ସେମାନଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବ ଲିଟିଲ୍ ଫିଙ୍ଗର୍‌ । ଏହା ସହିତ ଓଡ଼ିଶାର ମହିଳା ମାନଙ୍କୁ ମଧ୍ୟ ଚାକିରି ସୁଯୋଗ ଦିଆଯିବ ବୋଲି ପ୍ରତିଷ୍ଠାତା ପ୍ରବୀଣ ଅଗ୍ରୱାଲ କହିଛନ୍ତି । ଏବେ ଓଡ଼ିଶାର ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲିଟିଲ୍ ଫିଙ୍ଗର୍‌ ଖେଳନା ବିକ୍ରି ହେଉଛି ।

ଭିନ୍ନକ୍ଷମ ମହିଳା ମାନଙ୍କ ପାଇଁ ଚାକିରି ସୁଯୋଗ ଆଣିବା ସହ ଦେଶରେ ରୋଜଗାର ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି ଲିଟିଲ୍‌ ଫିଙ୍ଗର୍‌ । ଏନେଇ ଅନେକ ମହିଳା ବେଶ୍‌ ଖୁସି ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.