ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ସହ ମୁହାଁମୁହିଁ ଧକ୍କା ହେଲା JCB, ଡ୍ରାଇଭର ଗୁରୁତର; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଉତ୍ତର ପ୍ରଦେଶରେ ଏକ ରେଳ ଦୁର୍ଘଟଣା ଘଟିଛି । ଏଠାରେ ଦିନଦୟାଲ ଉପାଧ୍ୟାୟ ଜଙ୍କସନରୁ ବାରାଣାସୀ ଯାଉଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ଦୁର୍ଘଟଣାର ଶିକାର ହୋଇଛି ।
![JCB](https://knewsodisha.com/wp-content/uploads/2024/02/JCB-1.jpg)
ଉତ୍ତର ପ୍ରଦେଶରେ ଏକ ରେଳ ଦୁର୍ଘଟଣା ଘଟିଛି । ଏଠାରେ ଦିନଦୟାଲ ଉପାଧ୍ୟାୟ ଜଙ୍କସନ (ଡିଡିୟୁ)ରୁ ବାରାଣାସୀ ଯାଉଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ (ନଂ. ୨୨୧୬୮) ଦୁର୍ଘଟଣାର ଶିକାର ହୋଇଛି । ବିନା ଫାଟକରେ କ୍ରସିଙ୍ଗ୍ ପାର୍ କରୁଥିବା ଜେସିବି ସହିତ ଟ୍ରେନର ମୁହାଁମୁହିଁ ଧକ୍କା ହୋଇଛି ।
ଏହି ଦୁର୍ଘଟଣାରେ ରେଳ ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜେସିବି ମଧ୍ୟ ଭାଙ୍ଗିରୁଜି ଯାଇଛି । ଟ୍ରେନ୍ ଚାଳକ ଦୁର୍ଘଟଣାରେ ଆହତ ହୋଇଛନ୍ତି, ତାଙ୍କୁ ବାରାଣସୀ ରେଫର୍ କରି ଦିଆଯାଇଛି ।
ଖବର ପାଇ ଆରପିଏଫ ଏବଂ ଜିଆର୍ପି ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣା ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ମୁଗଲସରାଇ କୋତଓ୍ଵାଲିର ସାହୁପୁରୀ ଅଞ୍ଚଳରେ ରବିବାର ସକାଳ ସାଢ଼େ ୧୧ଟାରେ ଏହି ଘଟଣା ଘଟିଛି ।
ଧକ୍କା ହେବାର ଶବ୍ଦ ଶୁଣି ଆଖାପାଖର ଲୋକେ ସେଠାରେ ଭିଡ଼ ଜମାଇଥିଲେ । ଟ୍ରେନରେ ବସିଥିବା ଯାତ୍ରୀମାନେ ଭୟଭୀତ ହୋଇପଡ଼ି ବାହାରକୁ ବାହାରି ଆସିଥିଲେ । ସ୍ଥାନୀୟ ଲୋକମାନେ ଦୁର୍ଘଟଣା ସମ୍ପର୍କରେ ଖବର ଦେବା ପରେ ପୋଲିସ ପହଞ୍ଚି ଆହତ ଜେସିବି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା । ତାଙ୍କୁ ବାରାଣସୀ ସ୍ଥାନାନ୍ତର କରାଯାଇଛି । ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।