ବଡ଼ବିଲରେ ହାର୍ଡଓ୍ଵାର ଦୋକାନ ଉପରେ ବୋମାମାଡ଼ ଘଟଣା: ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍

ଯୋଡା(କେନ୍ଯୁଜ୍): ବଡ଼ବିଲରେ ଏକ ହାର୍ଡଓ୍ଵାର ଦୋକାନ ଉପରେ ବୋମାମାଡ଼ ଘଟଣାର ୨ ଅଭିଯୁକ୍ତ ଗିରଫ । ଅଭିଯୁକ୍ତଙ୍କ ଠାରୁ ନଗର ଅଢ଼େଇ ଲକ୍ଷ ଟଙ୍କା, ଦୁଇଟି ବନ୍ଧୁକ, ଗୋଟିଏ ଗୁଳି, ୫ଟି ସୁତୁଲି ବୋମା ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି ବଡ଼ବିଲ୍‌ ପୋଲିସ । ଦାଦାବଟି ଆଦାୟ ପାଇଁ ବୋମାମାଡ଼ ହୋଇଥିବା ପୋଲିସ କହିଛି ।

ଗତ ୩ ତାରିଖରେ ବୋମାମଡ଼ କରି ଆତଙ୍କ ସୃଷ୍ଟି କରିଥିଲେ ଦୁର୍ବୃତ୍ତ । ଏଥିରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଦୋକାନ ମାଲିକ ଓ କର୍ମଚାରୀ ।ତେବେ ଘଟଣା ପରେ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଦୁର୍ବୃତ୍ତଙ୍କ ପତ୍ତା ଲଗାଇବାକୁ ଚେଷ୍ଟା ଚଳାଇଥିଲା ପୋଲିସ ।  ସେପଟେ ଦୋକାନ ମାଲିକଙ୍କ କହିବା କଥା ଯେ ଆଗରୁ କାହାଠାରୁ କିଛି ଧମକ ମିଳିନଥିଲା କିମ୍ବା କାହା ସହିତ କୌଣସି ଶତ୍ରୁତା ନାହିଁ। ଏମିତିରେ ବୋମାମାଡ଼ ପଛର କାରଣ ଅସ୍ପଷ୍ଟ ରହିଥିଲା ।

ତେବେ ହୁଏତ କେହି ଦୁର୍ବୃତ୍ତ ନିଜର ଫାଇଦା ପାଇଁ ଭୟ ସୃଷ୍ଟି କରିବା ଉଦ୍ଦେଶ୍ଯରେ ଏପରି କରିପାରିଥାଏ ବୋଲି ସନ୍ଦେହ କରାଯାଉଥିଲା ।  ସ୍ପଷ୍ଟ ଦିବାଲୋକରେ ବୋମା ମାଡ଼ କରି ଦୁର୍ବୃତ୍ତ ଫେରାର୍‌ ହୋଇଯିବା ପୋଲିସ ପାଇଁ ଚାଲେଞ୍ଜ ଥିଲା । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ତେବେ ତଦନ୍ତରୁ ଜଣାପଡିଥିଲା କି, ବୋମାମାଡ଼ ପରେ ଦୋକାନୀଙ୍କୁ ଏକାଧିକ ଥର ଫୋନ୍‌ କରି ବଟି ମାଗିଥିଲେ । ପୋଲିସ ସୂଚନା ପାଇବା ପରେ ଧରିବାକୁ ଜାଲ ବିଛାଇଥିଲା । ଯୋଜନା ମୁତାବକ ଦୋକାନୀ ମାଲିକଙ୍କ ଭାଇ ବଟି ଦେବାକୁ ଯାଇଥିଲେ ।

ଟଙ୍କା ନେବା ସମୟରେ ଦୁର୍ବୃତ୍ତଙ୍କୁ ମାଡ଼ି ବସିଥିଲା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଝାଡ଼ଖଣ୍ଡର ଏମଡି ହୁସେନ ଓ ପରବେଜ ଅଖତର । ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି । ଏମାନଙ୍କ ନାଁରେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ ଏକାଧିକ ମାମଲା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.