ହିମାଚଳ ରୋହତାଙ୍ଗପାସ ବରଫ ଭିତରେ ଫସି ଗଲେ ୪ ପର୍ଯ୍ଯଟକ, ଜୀବନକୁ ପାଣି ଛଡାଇ ଉଦ୍ଧାର କଲେ ରାୟଗଡ଼ାର ଦୁଇ ଓଡିଆ ଝିଅ

ରାୟଗଡ଼ା(କେନ୍ୟୁଜ୍):ରାୟଗଡା ସହରର ରିଙ୍ଗରୋଡରେ ନିଜ ପରିବାର ସହ ବାସ କରନ୍ତି ଆକାକ୍ଷାଂ । କିଛି ଦିନ ତଳେ ସେ ନିଜ ପରିବାର ସହ ପାରଳାଖେମୁଣ୍ଡିରେ ରହୁଥିବା ସଂପର୍କୀୟ ଭଉଣୀ ଆୟୁଷୀ ସହ ମିଶି ରୋହତାଙ୍ଗପାସ୍‌ ବୁଲିବାକୁ ଯାଇଥିଲେ । ଗତ ଶୁକ୍ରବାର ସକାଳେ ସମସ୍ତେ ରୋହତାଙ୍ଗପାସର ଗ୍ଲାସିୟର ପଏଣ୍ଟରେ ବରଫାଛନ୍ନ ପାହାଡ ଓ ପ୍ରାକୃତିକ ସୌନ୍ଦର୍ଯ୍ଯକୁ ଉପଭୋଗ କରୁଥିବା ବେଳେ ହଠାତ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ପରେ ତାପମାତ୍ରା ହ୍ରାସ ପାଇ ୮ ଡିଗ୍ରିରେ ପହଚିଂଥିଲା ।

ପ୍ରାୟ ୧୫୦ ରୁ ଉର୍ଦ୍ଧ୍ୱ ପର୍ଯ୍ଯଟକ ଗ୍ଲାସିୟର ପଏଣ୍ଟରେ ଉପସ୍ଥିତ ଥିବା ବେଳେ ପ୍ରତିକୂଳ ପାଗ ପ୍ରଭାବରେ ବରଫ ତରଳିବାରେ ଲାଗିଥିଲା । ପୂରା ପାହାଡ ବରଫାବୃତ ହୋଇ ରହିଥିବାରୁ ବରଫ ତରଳିବା ଆରମ୍ଭ ହବା ପରେ ପର୍ଯ୍ଯଟକ ଭୟଭିତ ହୋଇ ପଡିଥିଲେ । କିଛି ସ୍ଥାନର ବଡ ବଡ ବରଫ ଖଣ୍ଡ ଧସି ତଳେ ପଡିଥିଲା।  ପର୍ଯ୍ଯଟକ ମାନେ ତଳକୁ ଓହ୍ଲାଇବା ପାଇଁ ଚେଷ୍ଟା କରିଥିଲେ । ତରବରିଆ ଭାବେ ତଳକୁ ଓହ୍ଲାଉଥିବା ସମୟରେ କିଛି ପର୍ଯ୍ଯଟକ ଖସି ପଡି ଆହାତ ହୋଇଥିଲେ । ଏହି ସମୟରେ ଗୋଟିଏ ବିରାଟ ବରଫ ଖଣ୍ଡ ଧସିବା ଯୋଗୁଁ ବହୁ ପର୍ଯ୍ଯଟକ ତଳକୁ କଚାଡି ହୋଇ ପଡି ଯାଇଥିଲେ ।

ଆକାକ୍ଷାଂ ଏବଂ ତାଙ୍କ ପରିବାରର ସମସ୍ତେ ଅଘଟଣରୁ ବର୍ତ୍ତି ତଳକୁ ଓହ୍ଲାଇ ଆସିବାରେ ସକ୍ଷମ ହୋଇଥିଲେ । ତେବେ ଆଖପାଖରେ ଥିବା ରାଜସ୍ଥାନର ଦୁଇ ମହିଳା ପର୍ଯ୍ଯଟକ ସେମାନଙ୍କ ଦୁଇ ଶିଶୁଙ୍କ ସହ ଉପରେ ଫସି ରହିଯାଇଥିଲେ । ବରଫ ଖଣ୍ଡ ଧସୁଥିବା ଯୋଗୁଁ ଓହ୍ଲାଇବାକୁ ସାହାସ କରିପାରୁ ନଥିଲେ । ଫସିଥିବା ପର୍ଯ୍ଯଟକ ଭୟଭୀତ ଅବସ୍ଥାରେ ଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆକାକ୍ଷାଂ ଓ ସଂପର୍କୀୟ ଭଉଣୀ ଆୟୁଷୀ ପାହାଡ ଉପରକୁ ସାହାସର ସହ ଚଢି ଯାଇଥିଲେ । ପ୍ରଥମେ ଦୁଇ ଶିଶୁଙ୍କୁ ଧରି ଉଭୟ ତଳକୁ ଓହ୍ଲାଇବା ପରେ ଫସି ରହିଥିବା ମହିଳା ପର୍ଯ୍ଯଟକଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇବାରେ ସକ୍ଷମ ହୋଇଥିଲେ ।

ପ୍ରବଳ ବରଫାପାତ ଓ ଥଣ୍ଡା ଯୋଗୁଁ ଦୁଇ ଶିଶୁଙ୍କ ମୁହଁ ଫୁଲି ଯାଇଥିଲା । ମହିଳା ପର୍ଯ୍ଯଟକ ଫସି ରହିଥିବା ସ୍ଥାନରେ ଥଣ୍ଡା ଓ ବରଫ ମାଡ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ମଧ୍ୟ ହେଉଥିଲା।  ଓଡିଆ ଝିଅ ଦେବଦୂତ ହୋଇ ତାଙ୍କୁ ଉଦ୍ଧାର କରିଥିବାରୁ ଚାରିଆଡୁ ପ୍ରଶଂସାର ସୂଅ ଛୁଟିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.