ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଂଜନ ଦାଶଙ୍କୁ ନିଯୁକ୍ତି

କଟକ(କେନ୍ୟୁଜ) : ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଂଜନ ଦାଶଙ୍କୁ ନିଯୁକ୍ତି ମିଳିଛି। ଦୁଇ ନୂଆ ବିଚାରପତିଙ୍କ ଯୋଗଦାନ ପରେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୪ ରେ ପହଁଚିବ। ଓଡିଶା ହାଇକୋର୍ଟଙ୍କ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୩୩।

ଏବେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ୨୨ ଜଣ ବିଚାରପତି ଅଛନ୍ତି। ନବନିଯୁକ୍ତ ଦୁଇ ବିଚାରପତି ଯୋଗଦେଲେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୪ ରେ ପହଞ୍ଚିବ। ଓଡିଶା ହାଇକୋର୍ଟରେ ୧ ଲକ୍ଷ ୮୦ ହଜାର ମାମଲା ବିଚାରଧୀନ ହୋଇ ପଡିରହିଛି। ଅଧିକ ବିଚାରପତି ରହିଲେ ମାମଲାର ତ୍ୱରିତ ଶୁଣାଣି ହେବା ସହ ଲୋକଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନରେ ସହାୟକ ହୋଇ ପାରିବ।

ଓଡ଼ିଶା ହାଇକୋର୍ଟର ଏହି ଦୁଇ ନୂଆ ବିଚାରପତିଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥିବା ସଂକ୍ରାନ୍ତରେ ଆଜି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୨, ଜୁଲାଇ ୨୫ରେ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଂଜନ ଦାଶଙ୍କ ନାଁ ସୁପାରିସ କରିଥିଲେ ।

ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଏବେ ଓଡ଼ିଶା ଜୁଡିସିଆଲ ଏକାଡେମିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଚିତ୍ତରଂଜନ ଦାଶ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଭାବେ କାର୍ଯ୍ୟରତ ଅଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.