ଆଜି ଓଡିଶା ହାଇକୋର୍ଟରେ ଶପଥ ନେବେ ଦୁଇ ନୂଆ ବିଚାରପତି

କଟକ(କେନ୍ୟୁଜ): ଆଜି ଓଡିଶା ହାଇକୋର୍ଟରେ ଶପଥ ନେବେ ଦୁଇ ନୂଆ ବିଚାରପତି। ତ୍ରିପୁରା ହାଇକୋର୍ଟର ବିଚାରପତି ଜଷ୍ଟିସ ଶୁଭାଶିଷ ତଳପାତ୍ରାଙ୍କର ଗତ ମେ ୨୭ ତାରିଖରେ ଓଡିଶା ହାଇକୋର୍ଟକୁ ବଦଳି ହୋଇଥିବା ବେଳେ ସେ ଆଜି ଶପଥ ଗ୍ରହଣ କରିବେ। ସେହିଭଳି ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଓଡିଶା ହାଇକୋର୍ଟ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିବେ।

କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଗତ ୩ ତାରିଖରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଏ ନେଇ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ପୂର୍ବରୁ ସଞ୍ଜୟଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ ସୁପ୍ରିମକୋର୍ଟ କଲେଜିୟମ। ଏହି ଦୁଇ ବିଚାରପତିଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଉଭୟଙ୍କୁ ଶପଥ ପାଠ କରାଇବେ। ଏହି ଦୁଇ ବିଚାରପତି ଓଡିଶା ହାଇକୋର୍ଟରେ ଯୋଗ ଦେବା ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚିବ।

ଓଡିଶା ହାଇକୋର୍ଟ ବିଚାରପତି ଭାବେ ଯୋଗ ଦେବାକୁ ଯାଉଥିବା ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ବୁର୍ଲାରେ ଜନ୍ମ ଗ୍ରହଣ କରିଥିବାବେଳେ ତାଙ୍କ ଘର ଢେଙ୍କାନାଳ ଜିଲା ମୁକ୍ତାଦେଇପୁର ଗାଁରେ। ତାଳଚେର ଥାର୍ମଲ ହାଇସ୍କୁଲରୁ ୧୯୮୩ରେ ମାଟ୍ରିକ, ୧୯୮୭ରେ ଅନୁଗୁଳ କଲେଜରୁ BCOM ପାସ୍‌ କରିବା ପରେ ୧୯୯୦ରେ ଏମ. ଏସ କଲେଜରୁ ଏଲ. ଏଲ. ବି ପାସ କରିଥିଲେ। ସଂଜୟ କୁମାର ମିଶ୍ର ୧୯୯୦ରେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ସେ ହାଇକୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ପରିଚାଳନା କରି ଜଣେ ଦକ୍ଷ ଆଇନଜୀବୀ ଭାବେ ସୁନାମ ଅର୍ଜନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.