ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି: ୭ ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ ଜାରି, ରଜ ପୂର୍ବରୁ ଓଡ଼ିଶା ଛୁଇଁବନି ମୌସୁମୀ !
ଭୁବନେଶ୍ବର(କେନ୍ୟୁଜ): ଭୟଙ୍କର ତାତି। ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳିରେ ଛଟପଟ ଜନଜୀବନ। ଉପକୂଳରେ ଗୁଳୁଗୁଳି କଲବଲ କରୁଥିବାବେଳେ ପଶ୍ଚିମରେ ତାତି ବଳବତ୍ତର ରହିଛି। ଦୁଇ ଦିନ ହେବ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଛି। ଗତକାଲି ଦୁଇଟି ସହରରେ ତାପମାତ୍ରା ୪୫ଡିଗ୍ରୀ ପାର୍ କରିଛି। ୪୫.୩ ସହ ବଲାଙ୍ଗିର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟଛି।
୪୦ ଡିଗ୍ରୀ ଉପରେ ରହିଛି ୧୫ ସହରର ତାପମାତ୍ରା। ଉତ୍ତର-ପଶ୍ଚିମ ଦିଗରୁ ରହୁଥିବା ଉତ୍ତପ୍ତ ଶୁଷ୍କ ବାୟୁ ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ତାତି ଜାର ରହୁଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ୭ ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି। ତେବେ ଶନିବାରଠାରୁ ପାଗରେ ପରିବର୍ତ୍ତନ ଆସିବା ସହ କାଳବୈଶାଖୀର ପ୍ରକୋପ ବୃଦ୍ଧି ପାଇବ। ଏହା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ରଜ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁବନି ବୋଲି IMD ପକ୍ଷରୁ ସୂଚନା ଦିଆଯାଇଛି।