ଦୁଇଜଣ ନିଯୁକ୍ତ ପାଇଛନ୍ତି ମାସକୁ ମାସ ଦରମା ବି ପାଉଛନ୍ତି, ହେଲେ ଦେଖାନାହିଁ ଡାକଘରେ

ହରଭଙ୍ଗା (କେନ୍ୟୁଜ) : ୬ ମାସ ହେଲା ଖୋଲିଛି । ଦୁଇଜଣ ନିଯୁକ୍ତି ବି ହୋଇଛନ୍ତି । ହେଲେ ଦିନେ ବି ଦେଖା ନାହିଁ ବାବୁଆଣିଙ୍କର । ଗାଁ କୋଠାରେ ପୋଷ୍ଟର ଲଗାଇ, କବାଟରେ ତାଲା ପକାଇ ଚାଲିଛି ଦୁର୍ଗମ ଅଚଂଳରେ କେନ୍ଦ୍ର ସରକାରଙ୍କ ମାଇଲେଜ ଯୋଜନା ପୋଷ୍ଟାଲ ସେବା । ଖୋଲି ପାରୁ ନାହାନ୍ତି ଖାତା କି ଜମା କରି ପାରୁ ନାହାନ୍ତି ଟଙ୍କା । ଏପଟେ କର୍ମଚାରୀଙ୍କୁ ମାସକୁ ମାସ ମିଳୁଛି ଦରମା । ଅନ୍ୟ ଯୋଜନା କଥା ପଚାରେ କିଏ । ଗାଁ କୋଠଘର କାନ୍ଥରେ ଲାଗିଛି ଫଳକ । ଫଳକରେ ଲେଖା ଅଛି ବୁରୁଡି ଶାଖା ଡାକ ଘର । ସକାଳ ୧୦ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ କାର୍ଯ୍ୟକରିବା ସମୟ । ଆଉ କବାଟକୁ ଟିକିଏ ଦେଖନ୍ତୁ କବାଟରେ ଝୁଲୁଛି ତାଲା । ଦିନେ କି ଦୁଇ ଦିନ ନୁହଁ ଆଜକୁ ୬ ମାସ ହେଲା କେନ୍ଦ୍ର ସରକାରଙ୍କ ଦ୍ୱାରା ବୌଦ୍ଧ ଜିଲା ତଳଗାଁ ଗ୍ରାମପଂଚାୟତ ଅନ୍ତର୍ଗତ ବୁରୁଡି ଗ୍ରାମରେ ଖୋଲିଥିବା ଶାଖା ଡାକଘର କାର୍ଯ୍ୟାଳୟର ଅବସ୍ଥା । ଡାକଘର କାର୍ଯ୍ୟାଳୟଟି ୬ ମାସ ହେଲା ଖୋଲିଥିବାବେଳେ ଏଥିରେ କାର୍ଯ୍ୟ କରିବା ପାଇଁ ଜଣେ ପୋଷ୍ଟ ମାଷ୍ଟର ଆଉ ଜଣେ ସହକାରୀ ପୋଷ୍ଟମାଷ୍ଟର ନିଯୁକ୍ତି ହୋଇଛନ୍ତି ଆଉ ମାସକୁ ମାସ ଦରମା ବି ପାଉଛନ୍ତି । ହେଲେ ଦିନକ ସକାଶେ ଏମାନେ କାର୍ଯ୍ୟାଳୟ ନ ଖୋଲିବାରୁ ଏବେ ଗାଁ ଲୋକେ କରିଛନ୍ତି ପ୍ରତିବାଦ । ଏ ଦୃଶ୍ୟ ବି ଦେଖନ୍ତୁ । ଗାଁର ପୁରୁଷ ମହିଳା ମାନେ କହୁଛନ୍ତି ଆମକୁ ପୋଷ୍ଟାଲ ସେବା ଦରକାର । ଏଭଳି ନାରା ଦେଇ ପ୍ରତିବାଦ କରୁଛନ୍ତି । ହେଲେ ଏ ଜଙ୍ଗଲ ଭିତରେ ରହୁଥିବା ଏ ଆଦିବାସି ମାନଙ୍କ ନାରା କଣ ଶୁଭିବ ।

ବୁରୁଡି,ରାଣିସାହି,ଗୋତିବିଡା ସମେତ ଆଖପାଖ ଗାଁରେ ବସବାସ କରୁଥିବା ଆଦିବାସି ସଂପ୍ରଦାୟର ପରିବାର ମାନଙ୍କୁ ଡାକସେବା ଯୋଗାଇଦେବା ପାଇଁ ଖୋଲାଯାଇଥିଲା ଶାଖା ଡାକଘର । ଲୋକେ ଡାକଘର କାର୍ଯ୍ୟାଳୟରେ ଖାତା ଖୋଲିବେ, ଟଙ୍କା ନେଣଦେଣ କରିବେ, ଭତା ଟଙ୍କା ହେଉ କି ମନରେଗା ଟଙ୍କା, ଏପରିକି ପିଏମ କିଷାନ ଟଙ୍କା ଡାକଘରୁ ପାଇବେ । ତା ଛଡା କେନ୍ଦ୍ର ସରକାରଙ୍କ ସୁକନ୍ୟା ଯୋଜନା ହେଉ ଅବା ଅଟଳ ପେନସନ ଯୋଜନା ଏସବୁ ଯୋଜନାରେ ବୀମା କରି ଲାଭବାନ ହେବେ । ହେଲେ ଆଜକୁ ୬ ମାସ ହେଲା ଗାଁରେ ଶାଖାଡାକ ଘର ଖୋଲି ସୁଦ୍ଧା ଏସବୁ ଯୋଜନାରେ ଲାଭ ପାଇବେ କଣ ଲୋକଙ୍କୁ ସଚେତନାତ ମଧ୍ୟ କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଶୁଣିବା ପରେ ତଦନ୍ତ କରିବାରୁ ଜଣାପଡେ ଯେ ଡାକଘର ପାଇଁ ନିଯୁକ୍ତ ହୋଇଥିବା ଦୁଇ ଜଣ କର୍ମଚାରୀ ନୟାଗଡ ଜିଲା ବାଣିଗୋଛା ରେ ରହୁଛନ୍ତି । ଦୁହିଁଙ୍କ ମଧ୍ୟରେ ପାଳିଆ ଓଳିଆ କରି ବାରିଙ୍ଗ ଡାକ କାର୍ଯ୍ୟାଳୟକୁ ଆସିଡାକ ନେଇଥାନ୍ତି ହେଲେ ବୁରୁଡି ଡାକଘରକୁ ଯାଇନଥାନ୍ତି । ଅର୍ଥାତ ଲୋକଙ୍କୁ ସେବା ନ ଯୋଗାଇ ଘରେ ରହି ପାଉଛନ୍ତି ଦରମା ।

ବୁରୁଡି ଶାଖା ଡାକଘର ପାଇଁ ନିଯୁକ୍ତି ହୋଇଥିବା ସହକାରୀ ପୋଷ୍ଟ ମାଷ୍ଟରକୁ ପଚାରିବାରୁ ଥରଥର ହୋଇ କହିଲେ ପୋଷ୍ଟମାଷ୍ଟର ଛୁଟିରେ ଅଛନ୍ତି । ୬ ମାସ ହେଲା ଡାକଘର ଖୋଲିଥିଲେ ମଧ୍ୟ ଆପଣ କାହିଁକି କାର୍ଯ୍ୟାଳୟକୁ ଯାଇ ଲୋକଙ୍କୁ ସେବା ଯୋଗାଉ ନାହାନ୍ତି ବୋଲି ପ୍ରଶ୍ନ କରିବାରୁ କଣ କହିଲେ ଶୁଣନ୍ତୁୁ । କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଉତର ପାଇବା ପରେ ଜଣାପଡେ ଡାକ ବିଭାଗରେ କିଛି ଠିକଠାକ ଚାଲିନି । ଲୋକଙ୍କୁ ସେବା ଦେବା ନାଁରେ ଚାଲିଛି ଭେଳିକି ।

ପୋଷ୍ଟ ସେବକ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ସାରା ରାଜ୍ୟରେ ଏବେ ସିବିଆଇ ତଦନ୍ତ ଯାରି ରହିଥିବାବେଳେ ଡାକସେବା ନ ଯୋଗାଇ ଦରମା ନେଇ ଅଏସ କରୁଥିବା ବୁରୁଡି ଡାକଘର କାର୍ଯ୍ୟାଳୟର କର୍ମଚାରୀଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ? ବୁରୁଡି ଗ୍ରାମବାସୀଙ୍କୁ ମିଳିବ କି ଡାକ ସେବା ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

Leave A Reply

Your email address will not be published.