ପ୍ରଳୟଙ୍କରୀ ବାତ୍ୟା ଫନିକୁ ପୂରିଲା ଦୁଇବର୍ଷ, ଆଖିରେ ଏବେବି ନାଚୁଛି ସାମୁଦ୍ରିକ ଝଡ଼ର କରାଳ ରୂପ

କେନ୍ୟୁଜ୍(ବ୍ୟୁରୋ):  ପ୍ରଳୟଙ୍କରୀ ବାତ୍ୟା ଫନିକୁ ପୂରିଲା ଦୁଇବର୍ଷ । ହେଲେ ଆଜି ବି ଲୋକଙ୍କ ମନରୁ ଲିଭିନି ସେହି ୨୦୧୯ ମସିହା ଆଜିର ଦିନରେ ଓଡିଶା ଉପକୂଳରେ ମାଡ ହୋଇଥିଲା ସାମୁଦ୍ରିକ ଝଡ ଫନି । ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ଜିଲା । ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁ ବଞ୍ଚି ଯାଇଥିଲା ଶହଶହ ଜୀବନ । ହଜାର ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଅଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଅର୍ନ୍ତଜାତୀୟ ସ୍ତରରେ ଖୁବ ପ୍ରଶଂସା ମିଳିଥିଲା । ୧୯୯୯ ମହାବାତ୍ୟାରେ ଯାଇଥିଲା ୧୦ ହଜାର ଲୋକଙ୍କ ଜୀବନ । ୨ବର୍ଷ ପରେ ଆଜି ମାହାମାରୀ କରୋନା ସହ ଲଢେଉ କରୁଛି ରାଜ୍ୟ ।

ଏହି ବାତ୍ୟାକୁ ଦୁଇବର୍ଷ ପୂରିଛି ସତ, ହେଲେ ଭରିନି ବିପନ୍ନଙ୍କ କ୍ଷତ । ଆଜି ବି ଭଙ୍ଗା କୁଡିଆରେ ଦିନ କାଟୁଛନ୍ତି ବିପନ୍ନ । ସହାୟତାର ପ୍ରତିଶ୍ରୁତି ଛଡା ଆଉ କିଛି ମିଳିନ । ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକରେ ଏଭଳି ହଜାର ହଜାର ବିପନ୍ନ ରହିଛନ୍ତି, ଯେଉଁମାନେ ବେଘର ହୋଇଯିବା ପରେ ଝାଟିମାଟି ଘରେ ଜୀବନ ବିତାଇବାକୁ ପଡୁଛି । ସରକାରୀ ସହାୟତାକୁ ଚାହିଁ ଆଖିର ପାଣି ମରିଗଲାଣି । ତଥାପି ମିଳୁନି ସହାୟତା । ସେପଟେ ବ୍ରହ୍ମଗିରି ତହସିଲଦାର କହିଛନ୍ତି ବ୍ରହ୍ମଗିରି ତହସିଲ ଅଧିନରେ ମୋଟ ୪୨ ହଜାର ୨ଶହ ୯୬ ଜଣଙ୍କୁ କ୍ଷତିଗ୍ରସ୍ଥ ଭାବେ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଏଯାଏ ୩୯ ହଜାର ୮ଶହ ୮୨ଜଣଙ୍କୁ ବିଭିନ୍ନ ପର୍ଯ୍ୟାୟରେ ୧୩୨ କୋଟି୨୮ ଲକ୍ଷ ୩୮ ହଜାର ଟଙ୍କା ପ୍ରଦାନ କରାଯାଇଥିବା କହିଛନ୍ତି । ଅବଶିଷ୍ଟଙ୍କୁ ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.