Below header

ବ୍ରଜରାଜନଗର ବ୍ୟାଟେଲ: ବିଜେପିର କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡିର ହେଭି ୱେଟ ନେତା ଧରିବେ ପ୍ରଚାର ମଙ୍ଗ

କେନ୍ୟୁଜ୍(ବ୍ୟୁରୋ):  ବ୍ରଜରାଜନଗର ବାଜି କିଏ ମାରିବ। ପ୍ରଚାର ଜୋରଦାର ହେବା ପୂର୍ବରୁ, ମୈଦାନରେ ରଣନୀତି ପ୍ରସ୍ତୁତ ଚାଲିଛି। ବିଭିନ୍ନ ଦଳର ହେଭିୱେଟ୍‌ ନେତା କର୍ମୀଙ୍କୁ ଉତ୍ସାହିତ କରିବାକୁ ସଭାସମିତ କରୁଛନ୍ତି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ନେତୃତ୍ୱରେ ବେଲପାହାଡରେ ବିଜେଡି ଏକ କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଛି। ଏଥିରେ ଝାରସୁଗୁଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୁବାସ ସିଂ, ସହ ପର୍ଯ୍ୟବେକ୍ଷକ ବିଷ୍ଣୁପ୍ରସାଦ କେଡିଆ ପ୍ରମୁଖଙ୍କ ସହ ପଞ୍ଚାୟତ ସ୍ତରୀୟ କର୍ମୀମାନେ ଉପସ୍ଥିତ ଥିଲେ।

ସେପଟେ ବିଜେପି ତାର ୪୦ ଜଣିଆ ପ୍ରଚାରକ ତାଲିକା ଘୋଷଣା କରିଛି। ପୀୟୁଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁଙ୍କ ଭଳି କେନ୍ଦ୍ର ମନ୍ତ୍ରୀ ଓ ଦଳର ସାଂସଦ ଅଛନ୍ତି ଏହି ତାଲିକାରେ। ବ୍ରଜରାଜନଗର ପୌରାଞ୍ଚଳର ଲମଟିବାହାଲରେ ବିଜେପିର ଏକ ସାଙ୍ଗଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯୋଗ ଦେଇଥିଲେ ଓଡ଼ିଶା ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

ବିରୋଧୀଙ୍କୁ ଚକମା ଦେବାକୁ ବିଜେଡି ଆଗରୁୁ ପ୍ରସ୍ତୁତ। ୩୮ ପଞ୍ଚାୟତରୁ କିଏ କେଉଁ ପଞ୍ଚାୟତ ଦାୟିତ୍ୱରେ ରହିବେ ତାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ସାରିଛି ଦଳ। ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ସୁଶାନ୍ତ ସିଂ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ସୁବାସ ସିଂ ନିର୍ବାଚନ ପରିଚାଳନାର ତଦାରଖ କରିବେ। ପଶ୍ଚିମଓଡ଼ିଶାରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ବିଧାୟକ ସାରଦା ନାୟକ, ପୁଷ୍ପେନ୍ଦ୍ର ସିଂହଦେଓ, ଦେବେଶ ଆଚାର୍ଯ୍ୟ ଓ ସେହ୍ନାଙ୍ଗିନୀ ଛୁରିଆ ପ୍ରମୁଖଙ୍କୁ ଅଧିକ ଦାୟିତ୍ୱ ଦିଆଯାଇଛି।

brajarajnagr2

 ବ୍ରଜରାଜନଗର ଆସନ ପ୍ରଥମ ଥର ଲାଗି ୨୦୧୯ରେ ଜିତିଥିଲା ବିଜେଡି। ବିଜେଡିର କିଶୋର ମହାନ୍ତି ୮୦ ହଜାର ୧୫୨, ବିଜେପିର ରାଧାରାଣୀ ପଣ୍ଡା ୬୮, ୧୫୩ ଓ ସିପିଆଇର ରମେଶ ତ୍ରିପାଠୀ ୯୩୫୦ ଭୋଟ ପାଇଥିଲେ। ବିଜେଡି ପ୍ରାୟ ୧୨ ହଜାର ଭୋଟରେ ଜିତିଥିଲା। କିନ୍ତୁ ୨୦୧୯ରେ ଲୋକସଭା ଆସନ ଲାଗି ଏହି ନିର୍ବାଚନମଣ୍ଡଳିରୁ ବିଜେପିକୁ ମିଳିଥିଲା ଅଧିକ ଭୋଟ୍‌। ୩ ବର୍ଷରେ ବଦଳି ଯାଇଛି ଚିତ୍ର। ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ଏଠାରୁ ୪୫ ହଜାର ଭୋଟ୍‌ ଅଧିକ ପାଇଥିଲା। ତେଣୁ ବିଜେଡି ଦାବି କରୁଛି ଏଥର ୫୦ ହଜାରରୁ ଅଧିକ ଭୋଟ୍‌ ପାଇବ। ସ୍ୱର୍ଗତ ବିଧାୟକ କିଶୋର ମହାନ୍ତି ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ। ତାଙ୍କୁ ଜିତାଇବାକୁ ଲାଗିଛନ୍ତି ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଓ ମନ୍ତ୍ରୀ। ବିଜେପି ମଧ୍ୟ ସମସ୍ତ ବଳ ଖଟାଉଛି ଏହି ଆସନ ଅକ୍ତିଆର କରିବାକୁ। ପଶ୍ଚିମ ଓଡ଼ିଶାର ସାଂସଦଙ୍କୁ ଧରି ନିଜର ରଣ କୌଶଳ ତିଆରି କରୁଛନ୍ତି ପ୍ରାର୍ଥୀ ରାଧାରାଣୀ ପଣ୍ଡା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.