୫ ହଜାରରୁ ଅଧିକ ପ୍ଲାଷ୍ଟିକ ବୋତଲ ଠିପିରେ କରିଛିନ୍ତି ତିନି ଠାକୁର, ଭିନ୍ନ କଳାକୃତିକୁ ନେଇ ଛୁଟୁଛି ପ୍ରଶଂସାର ସୁଅ

ବ୍ରହ୍ମପୁର ସାତ୍ତ୍ବିକ ସୋଲ ଫାଉଣ୍ଡେସନ ତରଫରୁ ଏହି ନିଆରା କଳାକୃତି କରାଯାଇଛି । ପ୍ରାୟ ୫ ହଜାରରୁ ଅଧିକ ପ୍ଲାଷ୍ଟିକ ବୋତଲ କ୍ୟାପ୍‌ ରେ ନିର୍ମାଣ କରିଛନ୍ତି ତିନି ଠାକୁରଙ୍କ କଳାକୃତି ।

ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ଦେଖିଦେଲେ ମନରେ ଭରିଯାଏ ଅସୁମାରୀ ଆନନ୍ଦ । ଆମ ଓଡ଼ିଶାରେ ଶ୍ରୀଜଗନ୍ନାଥ ହେଉଛନ୍ତି ଆରାଧ୍ୟ ଦେବତା ।ତିନି ଠାକୁରଙ୍କୁ ଦର୍ଶନ କଲେ ଆମ ସକାଳ ଆରମ୍ଭ ହୁଏ । ତେବେ ଆପଣ ଦେଖୁଥିବା ଏହି ତିନି ଠାକୁର କିନ୍ତୁ କିଛି ଭିନ୍ନ ଢଙ୍ଗରେ ନିର୍ମାଣ କରାଯାଇଛି । ଆପଣ ଏହି କଳାକୃତି ଦେଖି ନିଶ୍ଚିତ ଭାବେ ଏହାକୁ ଅତି ସାଧାରଣ କଳା ଭାବୁଥିବେ । କିନ୍ତୁ ଏହି କଳାକୃତି ବୋତଲ କ୍ୟାପ୍‌ ବା ଠିପିରୁ ନିର୍ମାଣ କରାଯାଇଛି । ଅଦରକାରୀ ପ୍ଲାଷ୍ଟିକ କ୍ୟାପ୍‌ ରେ ତିନି ଠାକୁରଙ୍କ ହୋଇଛି କଳାକୃତି । ଆଖିକୁ ବିଶ୍ୱାସ ହେଉ ନଥିଲେ ବି ଅତି ନିଖୁଣ ଭାବେ ତିନି ଠାକୁରଙ୍କୁ ନିର୍ମାଣ କରିଛନ୍ତି କିଛି ଯୁବପିଢ଼ି ।

ବ୍ରହ୍ମପୁର ସାତ୍ତ୍ବିକ ସୋଲ ଫାଉଣ୍ଡେସନ ତରଫରୁ ଏହି ନିଆରା କଳାକୃତି କରାଯାଇଛି । ପ୍ରାୟ ୫ ହଜାରରୁ ଅଧିକ ପ୍ଲାଷ୍ଟିକ ବୋତଲ କ୍ୟାପ୍‌ ରେ ନିର୍ମାଣ କରିଛନ୍ତି ତିନି ଠାକୁରଙ୍କ କଳାକୃତି । ଦୀର୍ଘ ଦିନ ଧରି ଜିଲ୍ଲାର ବିଭିନ୍ନ ବେଳାଭୂମି ଓ ବସ୍ତି ଗୁଡ଼ିକରେ ଏଣେତେଣେ ପଡ଼ି ରହିଥିବା ପ୍ଲାଷ୍ଟିକ ବୋତଲରୁ କ୍ୟାପ୍‌ ସଂଗ୍ରହ କରି ଫାଉଣ୍ଡେସନର କର୍ମକର୍ତ୍ତାମାନେ ଏହି କ୍ୟାପ୍‌ ଗୁଡ଼ିକୁ ନେଇ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ କଳାକୃତି କରିଥିଲେ । ଏହି କଳାକୃତିକୁ ବ୍ରହ୍ମପୁର ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ରହିଥିବା ଏକ କାନ୍ଥରେ ସ୍ଥାପିତ କରିଛନ୍ତି । ଯାହାଫଳରେ ଏହି ତିନି ଠାକୁରଙ୍କ କଳାକୃତିକୁ ଦେଖି ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମାନେ କିଛି ନୂଆ ଶିଖି ପାରିବେ । ପ୍ଲାଷ୍ଟିକ ବୋତଲ ପରିବେଶ ପାଇଁ କେତେ ଘାତକ ଓ ଅଦରକାରୀ କିନ୍ତୁ ଏହାର କ୍ୟାପ୍‌ କୁ ନେଇ ଏଭଳି ସୁନ୍ଦର କଳାକୃତି ନିର୍ମାଣ କରାଯାଇପାରିବ ବିଶ୍ୱାସ କରି ହେଉନି ।

ଏହି କଳାକୃତିକୁ ଦେଖିଲେ କେହି ବିଶ୍ବାସ କରିବେ ନାହିଁ ଯେ ଏହା ପ୍ଲାଷ୍ଟିକ କ୍ୟାପ୍‌ ରେ ହୋଇଛି । ଏଭଳି କଳାକୃତିକୁ ବ୍ରହ୍ମପୁର ସାତ୍ତ୍ବିକ ସୋଲ ଫାଉଣ୍ଡେସନର କର୍ମକର୍ତ୍ତାମାନେ କରିଛନ୍ତି । ଏହି ଫାଉଣ୍ଡେସନର ସଦସ୍ୟମାନେ ଜିଲ୍ଲାର ବିଭିନ୍ନ ବେଳାଭୂମିକୁ ସଫେଇ କରିବା କାର୍ଯ୍ୟ କରୁଥିବା ସମୟରେ ସଂଗୃହିତ ପ୍ଲାଷ୍ଟିକ ବୋତଲ କ୍ୟାପ୍‌ କୁ ନେଇ କିଛି ନୂଆ କଳାକୃତି କରିବା ପାଇଁ ଚିନ୍ତା କରିଥିଲେ । ଏହା ପରେ ଜିଲ୍ଲାର ବିଭିନ୍ନ ବେଳାଭୂମି ସମେତ କିଛି ବସ୍ତିରେ ବୁଲି ପ୍ଲାଷ୍ଟିକ କ୍ୟାପ୍‌ ସଂଗ୍ରହ କରିଥିଲେ । ବିଭିନ୍ନ ସ୍ଥାନରୁ ସଂଗୃହିତ ହୋଇଥିବା ପ୍ରାୟ ୫ ହଜାରରୁ ଅଧିକ ପ୍ଲାଷ୍ଟିକ କ୍ୟାପ୍‌ କୁ ନେଇ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ କଳାକୃତି କରିଥିଲେ । ଏଥିରେ ମୋଟ ୨୦ରୁ ଅଧିକ କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ । ଦୁଇ ମାସ ମଧ୍ୟରେ ତିନି ଠାକୁରଙ୍କ ଏହି କଳାକୃତିକୁ ନିର୍ମାଣ କରିଥିଲେ ଫାଉଣ୍ଡେସନର ସଦସ୍ୟ ମାନେ । ଏହାପରେ ଏହି କଳାକୃତିକୁ ବ୍ରହ୍ମପୁର ଆମ୍ୱପୁଆସ୍ଥିତ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ରହିଥିବା ଏକ କାନ୍ଥରେ ଆଣି ସ୍ଥାପିତ କରିଥିଲେ । ଯାହାର ନାଁ ଡିଭାଇନ ୱାଲ୍ ବୋଲି ରଖାଯାଇଛି । ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମାନେ ଏହି କଳାକୃତିକୁ ଦେଖି କିଭଳି ଅଦରକାରୀ କ୍ୟାପ୍‌ ରେ ସୁନ୍ଦର କଳାକୃତି ହେଉଛି ତାହା ଜାଣିବା ସହିତ ପରିବେଶ ପାଇଁ କେତେ କ୍ଷତିକାରକ ଏହି ପ୍ଲାଷ୍ଟିକ ସେ ନେଇ ମଧ୍ୟ ସଚେତନ ହୋଇପାରିବେ । ଆଉ ଏହି କଳାକୃତି ଆନ୍ତର୍ଜାତୀୟ ବୁକ୍‌ ଅଫ୍‌ ରେକର୍ଡ଼ ଓ ଭାରତ ରେକର୍ଡ଼ ବୁକରେ ମଧ୍ୟ ସାମିଲ ହୋଇଛି ।
ଏହି ତିନି ଠାକୁରଙ୍କ କଳାକୃତିକୁ ଦେଖି ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବେଶ ଖୁସି ହୋଇଛନ୍ତି । ଏଭଳି କଳାକୃତି ଦ୍ବାରା କେବଳ ଯେ ତିନି ଠାକୁରଙ୍କୁ ଦେଖି ଖୁସି ମିଳେ ତାହା ନୁହେଁ ବରଂ ଅଦରକାରୀ ସାମଗ୍ରୀକୁ ନେଇ କିଭଳି ସୁନ୍ଦର ସୁନ୍ଦର କଳାକୃତି ନିର୍ମାଣ ହୋଇପାରୁଛି ସେ ନେଇ ମଧ୍ୟ ଜ୍ଞାନ ମିଳିପାରିବ । ସେପଟେ ଏଭଳି ସୁନ୍ଦର କଳାକୃତି ବିଦ୍ୟାଳୟର କାନ୍ଥରେ ସ୍ଥାପିତ ହେବା ଦ୍ବାରା ଛାତ୍ରଛାତ୍ରୀମାନେ ବେଶ ଶିକ୍ଷା ଲାଭ କରିବା ସହିତ ସ୍କୁଲ ପରିବେଶକୁ ଆହୁରି ସୁନ୍ଦର କରିପାରୁଛି ।

ଦୀର୍ଘ ବର୍ଷ ହେଲା ସାତ୍ତ୍ବିକ ସୋଲ ଫାଉଣ୍ଡେସନର କର୍ମକର୍ତ୍ତା ମାନେ ବେଳାଭୂମି ସଫେଇ ଠାରୁ ଆରମ୍ଭ କରି ଅନେକ ସାମାଜିକ ସେବା କାର୍ଯ୍ୟକ୍ରମ କରି ଆସୁଥିବା ବେଳେ ଏଭଳି କଳାକୃତି କରିବା ସହିତ ତାହା ବିଭିନ୍ନ ରେକର୍ଡ଼ ସାମିଲ ହେବା ଯୋଗୁଁ ଫାଉଣ୍ଡେସନର କର୍ମକର୍ତ୍ତା ମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.