ଉତ୍କଳ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀକୁ ୮ ଘଣ୍ଟା ପରିବର୍ତ୍ତେ ୧୪ ଘଣ୍ଟା ଖୋଲାଯାଉ, ଦାବି କଲେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପ-ସଭାପତି

ଉତ୍କଳ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀକୁ ୮ ଘଣ୍ଟା ପରିବର୍ତ୍ତେ ୧୪ ଘଣ୍ଟା ଖୋଲିବାକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପ-ସଭାପତିଙ୍କ ଦାବି ପରେ ପ୍ରସ୍ତାବ ଗ୍ରହଣ କଲା UGC।

ଭୁବନେଶ୍ୱର (କେନ୍ୟୁଜ): ଉତ୍କଳ ବିଶ୍ୱବିଦ୍ୟାଳୟ ହେଉଛି ଓଡ଼ିଶାର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ । ଏହି ବିଶ୍ୱବିଦ୍ୟାଳୟରେ ନିଜସ୍ୱ ଶିକ୍ଷା ବ୍ୟବସ୍ଥା ଥିବା ସାଙ୍ଗରେ ଅନ୍ୟ ବହୁ ମହାବିଦ୍ୟାଳୟ ଅନୁବନ୍ଧିତ ଭାବେ ରହିଛନ୍ତି। ୧୯୪୩ ମସିହା ନଭେମ୍ବର ୨୭ତାରିଖ ଦିନ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ର ପ୍ରତିଷ୍ଠା ହୋଇଥିଲା। ଏହା ପରେ ୧୯୪୬ରେ ବିଶ୍ୱବିଦ୍ୟାଳୟରେ ପାଠାଗାର ପ୍ରତିଷ୍ଠା ହୋଇଥିଲା । ଏହାର ନାମ ସ୍ୱର୍ଗତ ପ୍ରାଣକୃଷ୍ଣ ପରିଜାଙ୍କ ସ୍ମୃତି ଉଦ୍ଦେଶ୍ୟରେ ରଖାଗଲା ପରିଜା ପାଠାଗାର। ବିଭିନ୍ନ ସ୍ନାତକୋତ୍ତର ବିଭାଗ ଅଧୀନରେ ୨୪ଟି ବିଭାଗୀୟ ପାଠାଗାର ରହିଛି। ଏହା ସତ୍ତ୍ୱେ ବି ପିଲାଙ୍କର ଆବଶ୍ୟକତା ପୂରଣ କରିପାରୁ ନାହିଁ ଲାଇବ୍ରେରୀ।

ସବୁଠୁ ଦୁଃଖର ବିଷୟ ହେଉଛି ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯାଇଥିବା ଲାଇବ୍ରେରୀ ଦିନ ୧୦ ରୁ ଖୋଲା ହୋଇ ସନ୍ଧ୍ୟା ୭ରେ ବନ୍ଦ ହୋଇଥାଏ। ଏଥିସହିତ ଦ୍ୱିତୀୟ ଓ ଚତୁର୍ଥ ଶନିବାରରେ ଲାଇବ୍ରେରୀ ବନ୍ଦ ରହିଥାଏ। ଯାହା ଫଳରେ ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପିଲାମାନଙ୍କର ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଶ୍ୱବିଦ୍ୟାଳୟର କତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରି ନାହାନ୍ତି। ଛାତ୍ରଛାତ୍ରୀ ମାନଙ୍କର ଦାବି ରହିଛି ଯେ ଲାଇବ୍ରେରୀକୁ ୮ ଘଣ୍ଟା ପରିବର୍ତ୍ତେ ୧୪ ଘଣ୍ଟା ଖୋଲାଯାଉ ଓ ପାଠପଢିବା ପାଇଁ ଉପଯୁକ୍ତ ପରିମାଣର ବହିର ବ୍ୟବସ୍ଥା କରାଯାଉ। ପିଲାମାନଙ୍କର ଏହି ସବୁ ସମସ୍ୟାକୁ ଦୃଷ୍ଟି ରଖି UGC INDIAକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପ-ସଭାପତି ତଥା ଛାତ୍ର ନେତା ଅରୂପ ଶ୍ରୀଚନ୍ଦନ ଏକ ପ୍ରସ୍ତାବ ପ୍ରଦାନ କରିଥିଲେ । UGC ଏହି ପ୍ରସ୍ତାବ ପାଇବା ପରେ ପିଲାଙ୍କ ଦାବିକୁ ଗ୍ରହଣ କରି ତୁରନ୍ତ ଲାଇବ୍ରେରିଆନ, କୁଳସଚିବ ଏବଂ କୁଳପତିଙ୍କୁ ଛାତ୍ରଛାତ୍ରୀଙ୍କ ଅସୁବିଧାର ସମାଧାନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କୁଳପତି କେବେ ଓ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତା’ ଉପରେ ରହିଛି ଛାତ୍ରଛାତ୍ରୀଙ୍କ ନଜର।