ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ କର୍ପୋରେସନ ଡେପୁଟୀ ମ୍ୟାନେଜର, ସମୁଦାୟ ୧୦ଟି ସ୍ଥାନରେ ଚାଲିଛି ରେଡ୍‌

ଭୁବନେଶ୍ୱର/ବାସୁଦେବପୁର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ କର୍ପୋରେସନ ଡେପୁଟୀ ମ୍ୟାନେଜର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରତାପ କୁମାର ସାମଲଙ୍କ ଘରେ ଚଢାଉ ଜାରି ରହିଛି। ବାସୁଦେବପୁର , ବାଲେଶ୍ୱର, ସିମୁଳିଆ ଓ ଭୁବନେଶ୍ୱର ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ ଚାଲିଛି। ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳାନ ଚାଲିଛି ଚଢାଉ।

ତାଙ୍କର ଭୁବନେଶ୍ୱର IRC ଭିଲେଜରେ ରହିଛି ୨ଟି ବଡ ପ୍ରାସାଦ। ଗୋଟିଏ ୪ ମହଲା ଓ ଅନ୍ୟ ଗୋଟିଏ ୩ ମହଲା କୋଠା। ଜୟଦେବବିହାରସ୍ଥିତ ବିଜୁ ପଟ୍ଟନାୟକ କଲେଜ ଛକରେ ରହିଛି ୬ ମହଲା ବିଲଡିଙ୍ଗ। ସେହିଭଳି ଜୟଦେବ ବିହାର ନରେନ୍ଦ୍ର ଭିଲ୍ଲା ଆପାର୍ଟମେଣ୍ଟରେ ରହିଛି ଗୋଟିଏ ଫ୍ଲାଟ। ଏହାସହ ସରକନ୍ତରା ଖଣ୍ଡଗିରି ନିକଟରେ ୧ ମହଲା କୋଠା ରହିଛି। ଯାହାକି ସେ ଭଡା ଆକାରରେ ଦେଇଛନ୍ତି। ଗୋଠପାଟଣାରେ ତାଙ୍କ ପତ୍ନୀଙ୍କ ନାଁରେ ରହିଛି ୫ମହଲା କୋଠା। ଯାହର ମୂଲ୍ୟ ୩ କୋଟି ୨୫ ଲକ୍ଷ ଟଙ୍କା ହେବ ।

ବାସୁଦେବପୁର ସିନେମା ହଲ୍‌ ରୋଡ୍‌ ବାଲି ସାହି ସ୍ଥିତ ଆପାର୍ଟମେଣ୍ଟରେ ମଧ୍ୟ ଚଢାଉ ଚାଲିଛି। ଏଥିରେ ଭିଜିଲାନ୍ସର ୧୦ଟି ଟିମ୍‌ ସାମିଲ ଅଛନ୍ତି। ଜଣେ ଅତିରିକ୍ତ SP, ୫ ଜଣ DSP, ୭ ଇନ୍ସପେକ୍ଟର ରେଡ୍‌ କରୁଛନ୍ତି। ସେ ୧୯୮୮ରେ OPHWCରେ ଯୋଗ ଦେଇଥିଲେ । ୨୦୧୩ରେ ଡେପୁଟି ମ୍ୟାନେଜର ର‍୍ୟାଙ୍କକୁ ପ୍ରମୋସନ ପାଇଥିଲେ । ରାଉରକେଲା, ବଲାଙ୍ଗୀର, କେନ୍ଦୁଝରରେ ସେ କାର୍ଯ୍ୟରତ ଥିଲେ । ଜୁନିଅର ଇଞ୍ଜିନିୟରରୁ କ୍ୟାରିୟର ଆରମ୍ଭ କରି ୩୩ ବର୍ଷ ଚାକିରି କାଳରେ ଅମାପ ସମ୍ପତ୍ତିର ମାଲିକ ହୋଇଛନ୍ତି ପ୍ରତାପ ସାମଲ । ଚଢ଼ାଉବେଳେ ୧୧ଟି ବ୍ୟାଙ୍କ ଆକାଉଣ୍ଟ, ୩୮ ଲକ୍ଷ ୩୭ ହଜାର ଟଙ୍କା ଜବତ ହୋଇଛି । ଅଧ କିଲୋଗ୍ରାମ ସୁନା, ଦାମୀ ଗାଡି ଠାବ କରିଛି ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.