ରାତିରେ ଏତେ ଟଙ୍କା ନେଇ କୁଆଡ଼େ ଯାଉଥିଲେ ଛେଣ୍ଡିପଦା ରେଞ୍ଜର୍‌, ଧରିଲା ଭିଜିଲାନ୍ସ

ଅନୁଗୋଳ (କେ ନ୍ୟୁଜ୍‌) : ଭିଜିଲାନ୍ସଜାଲରେ ପଡ଼ିଗଲେ ଅନୁଗୋଳ ଛେଣ୍ଡିପଦା ରେଞ୍ଜର। ବେଆଇନ୍ ସମ୍ପତ୍ତି ଠୁଳ ଅଭିଯୋଗରେ ଦୀର୍ଘ ଦିନ ହେଲା ନଜରରେ ଥିବା ଅନୁଗୋଳ ଜିଲା ଛେଣ୍ଡିପଦା ଫରେଷ୍ଟ ରେଞ୍ଜର୍ ମନମୋହନ ସ୍ବାଇଁଙ୍କୁ ଆଜି ସକାଳେ କଟକ ଭିଜିଲାନ୍ସ ବିଭାଗ ଧରିଛି ।
ମଙ୍ଗଳବାର ଦିନ ଏକ ବୋଲେରୋ ଗାଡ଼ି (ଓଡ଼ି୦୨ଏପି୪୨୮୮) ରେ ଛେଣ୍ଡିପଦାରୁ ଭୁବନେଶ୍ୱର ଯାଉଥିବା ବେଳେ ଆଠଗଡ଼ ମୁଣ୍ଡଳୀ ବ୍ରିଜ୍ ପାଖରେ କଟକ ଭିଜିଲାନ୍ସ ବିଭାଗ ତାଙ୍କୁ ଅଟକାଇ ଗାଡ଼ି ଯାଞ୍ଚ କରିଥିଲା । ଏହି ସମୟରେ ଗାଡିରୁ ୨ଲକ୍ଷ ୭୯ହଜାର ୩ ଶହ ଟଙ୍କା ମିଳିଥିଲା । ଏ ଟଙ୍କାର ହିସାବ କହିବାରେ ରେଞ୍ଜର୍ ସ୍ବାଇଁ ବିଫଳ ହେବା ପରେ ଭିଜିଲାନ୍ସ ସମସ୍ତ ଟଙ୍କାକୁ ଜବତ କରିବା ସହ ତାଙ୍କୁ ଅଟକ ରଖିଛି ।
ଭିଜିଲାନ୍ସ ବିଭାଗ ଦେଇଥିବା ସୂଚନା ଅନୁସାରେ, ବେଆଇନ ଭାବେ ରେଞ୍ଜର ମନମୋହନ ସ୍ୱାଇଁ ପ୍ରଚୁର ଟଙ୍କା ସଂଗ୍ରହ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଦୀର୍ଘ ଦିନ ହେଲା ତାଙ୍କ ଉପରେ ଭିଜିଲାନ୍ସ ପକ୍ଷରୁ ନଜର ରଖାଯାଇଥିଲା । ଭିଜିଲାନ୍ସ ଟିମ୍‌ର ଗୋଟିଏ ଦଳ ଛେଣ୍ଡିପଦାସ୍ଥିତ ସରକାରୀ କ୍ୱାର୍ଟର ଏବଂ କାର‌୍ୟ୍ୟାଳୟରେ ଚଢ଼ାଉ କରି ୫୦ ହଜାର ଟଙ୍କା ଜବତ କରିଛି । ସେହିଭଳି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅର୍ନ୍ତଗତ ଖଣ୍ଡିବନ୍ଧସ୍ଥିତ କୋଠା ଏବଂ ବଲାଙ୍ଗିର ସହରସ୍ଥିତ ଭଡ଼ାଘରେ ଚଢ଼ାଉ କରାଯାଇଥିଲା । ସେ କୋଭିଡ-୧୯ କର୍ଫ୍ୟୁ ସମୟରେ ଛେଣ୍ଡିପଦାରୁ ରାତିରେ ଗାଡ଼ିରେ କେମିତି ଏତେ ଟଙ୍କା ନେଇ କୁଆଡେ ଯାଉଥିଲା; ତାର ସନ୍ତୋଷଜନକ ଉତ୍ତର ରେଞ୍ଜର ସ୍ୱାଇଁ ଦେଇ ପାରିନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.