ଉନ୍ମୋଚନ ହେଲା ବିଜୟ ନାୟକଙ୍କ ଗଳ୍ପ ସଂକଳନ ‘ମାୟାବର୍ତ୍ତ’, କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟପାଳ, ଡ. ପ୍ରତିଭା ରାୟ ଓ ଡ. ଇତି ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ ବିଶିଷ୍ଟ କଥାଶିଳ୍ପୀ ଶ୍ରୀ ବିଜୟ ନାୟକଙ୍କ ନବମ ଗଳ୍ପ ସଂକଳନ ‘ମାୟାବର୍ତ୍ତ ’ ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ଅପରାହ୍ନରେ ଓଡ଼ିଶା ରାଜଭବନ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥିତଯଶା ଔପନ୍ୟାସିକା ପଦ୍ମଭୂଷଣ ଡ. ପ୍ରତିଭା ରାୟ ଏବଂ ସୁଲେଖିକା ତଥା ‘ କାଦମ୍ବିନୀ’ର ସମ୍ପାଦିକା ଡ. ଇତି ସାମନ୍ତ ଉପସ୍ଥିତ ଥିଲେ ।

‘ମାୟାବର୍ତ୍ତ’ ସଂକଳନରେ ଶ୍ରୀ ନାୟକଙ୍କର ବଛାବଛା ୨୨ଟି ଗଳ୍ପ ସ୍ଥାନିତ ହୋଇଛି । ସମାଜର ସବା ତଳ ପାହାଚରେ ଥିବା ମଣିଷର ସଂଘର୍ଷ ଓ ସଂଘାତର କାହାଣୀ, ପ୍ରେମ ପ୍ରଣୟ, ମନୋବିଶ୍ଳେଷଣ ଓ ନଷ୍ଟାଲ୍ଜିଆ ଉପରେ ସଂକଳନସ୍ଥ ଗଳ୍ପଗୁଡ଼ିକ ଆଧାରିତ । ଭାବର ସାନ୍ଦ୍ରତା ଓ ଶବ୍ଦର ଲାଳିତ୍ୟ ଯୋଗୁଁ ଗଳ୍ପଗୁଡ଼ିକ ବିପୁଳ ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା କରାଯାଏ । ବିଶିଷ୍ଟ ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କ ନିଖୁଣ ପ୍ରଚ୍ଛଦ ଏବଂ ବିଦ୍ୟାପୁରୀ ପ୍ରକାଶନ ସଂସ୍ଥାର ପରିଚ୍ଛନ୍ନ ମୁଦ୍ରଣ ଗଳ୍ପ ସଂକଳନଟିକୁ ଆକର୍ଷଣୀୟ କରିଛି ।

ଏହି କାର୍ଯ୍ୟକ୍ରମରେ ଲେଖକ ଶ୍ରୀ ବିଜୟ ନାୟକ, ‘କାହାଣୀ’ର ପ୍ରକାଶିକା ଶ୍ରୀମତୀ ତପସ୍ବିନୀ ନାୟକ, ପ୍ରକାଶକ ଶ୍ରୀ ଜୀବାନନ୍ଦ ମିଶ୍ର, କବି ଶ୍ରୀ ରକ୍ଷକ ନାୟକ, ଯୁବ ସାହିତ୍ୟିକ ଶ୍ରୀ ଅମିତାଭ ଖିଲାର ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.