ଆମ ଗାଁରେ କାହିଁକି ଦଣ୍ଡ କଲ ନାହିଁ ? ଏବେ ମାଡ଼ ଖାଅ, ଆକ୍ରମଣରେ ପୂଜକ ଓ ଦଣ୍ଡୁଆ ଗୁରୁତର ଆହତ

ଆକ୍ରମଣରେ ୨ ଜଣ ପୂଜକଙ୍କ ସହ ୫ ଜଣ ଦଣ୍ଡୁଆ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଜଣେ ପୂଜକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି ।

ବୌଦ୍ଧ (କେନ୍ୟୁଜ୍‌) : ବୌଦ୍ଧ ବେନ୍ଦିରିପାଲି ଗାଁରେ ଦଣ୍ଡ ଯାତ୍ରା ପାର୍ଟି ଉପରେ ମରଣାନ୍ତକ ଆକ୍ରମଣ । ଚଣ୍ଡୀଗଡ଼ ଗାଁରେ ଦଣ୍ଡ ନରଖିବାରୁ ସେହି ଗାଁର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ୨ ଜଣ ପୂଜକଙ୍କ ସହ ୫ ଜଣ ଦଣ୍ଡୁଆ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଜଣେ ପୂଜକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁଯାୟୀ ଚଣ୍ଡୀଗଡ଼ ଗାଁର ଦଣ୍ଡ ପାର୍ଟି ଆଜି ସେହି ଗାଁରେ ହିଁ ଦଣ୍ଡ ଯାତ୍ରା କରିବାର ଥିଲା । ହେଲେ ଗାଁରେ ଜଣଙ୍କର ମୃତ୍ୟୁ ହୋଇଥିବାରୁ ପୂଜକ ସେଠାରେ ଦଣ୍ଡ କରିବାକୁ ବାରଣ କରିଥିଲେ ଏବଂ ବେନ୍ଦିରିପାଲି ଗାଁକୁ ଯାତ୍ରା ପାଇଁ ଯାଉଥିଲେ । ଏହି ସମୟରେ ଚଣ୍ଡୀଗଡ଼ ଗାଁ ଲୋକଙ୍କ ସହ ତାଙ୍କର ମୁହାଁମୁହିଁ ହୋଇଥିଲା । ଗାଁ ଲୋକେ ଚଣ୍ଡୀଗଡ଼ ଠାରେ ହିଁ ଦଣ୍ଡ ଯାତ୍ରା କରିବାକୁ ଜିଦ୍‌ ଧରିଥିଲେ । ତେବେ ସେମାନଙ୍କ କଥାରେ ରାଜି ନହେବାରୁ ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ଦଣ୍ଡୁଆଙ୍କୁ ଠେଙ୍ଗା ବାଡ଼ିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଥିଲା ।

ଆକ୍ରମଣରେ ପୂଜକ ସରୋଜ ଦେହୁରୀ, ସନ୍ତୋଷ ଦେହୁରୀଙ୍କ ସମେତ ଦଣ୍ଡୁଆ ସୁଶାନ୍ତ ମହାକୁଡ଼, ଦେବରାଜ ଦେହୁରୀ, ବ୍ରଜମୋହନ ଦେହୁରୀ ଲହୁଲୁହାଣ ହୋଇ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ଯ ଚିକିତ୍ସାଳୟରେ ଆଣି ଭର୍ତ୍ତି କରାଯାଇଥିଲା । ସରୋଜ ଦେହୁରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ବୌଦ୍ଧ ଆଦର୍ଶ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.