ଗାଁ ଲୋକ ସଫା ମନା କରିଦେଲେ, ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ବରଗଡ଼ (କେନ୍ୟୁଜ୍‌) : ସତ୍ୟନାରାୟଣ ନାଗ । ବୟସ ୮୫ବର୍ଷ । ଦୀର୍ଘ ଦଶ ବର୍ଷରୁ ଊର୍ଦ୍ଧ୍ବ ହେବ ସେ ବରଗଡ ଜିଲ୍ଲା ତାଲଶ୍ରୀଗିଡା ଗାଁର ଜଗନ୍ନାଥ ନଗରରେ ରହୁଥିଲେ । ଅନ୍ୟ ଜାତିର ମହିଳା ଯମୁନା ନାଗଙ୍କୁ ବିବାହ କରିଥଲେ । ତେବେ ଅନେକ ଦିନରୁ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିବା ସତ୍ୟନାରାୟଣଙ୍କ ବୃଦ୍ଧା ପତ୍ନୀ ଯମୁନା ନାଗଙ୍କ ମୃତ୍ୟୁ ହୋଇଗଲା। ଗତକାଲି ଭୋର୍ ୪ଟାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ତେବେ ତାଙ୍କର କେହି ସଂପର୍କୀୟ ନାହାନ୍ତି । କେବଳ ବୃଦ୍ଧ ସ୍ୱାମୀ ଜଣକ ଅଛନ୍ତି । ସେ ମଧ୍ୟ ଅତ୍ୟନ୍ତ ଦୁର୍ବଳ। ଏକଥା ଜାଣିଥିବା ଗାଆଁର ଜଣେ ମହିଳା ସକାଳେ ଫୋନ୍‌ କରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରକୁ ଖବର ଦେଲେ ।

ଗାଁ’ର ଯୁବ ସରପଞ୍ଚ ରିକନ ସାହୁଙ୍କ ସହ ଯୋଗାଯୋଗ କରି ଘଟଣା ନିଷ୍ଠାର ସଦସ୍ୟମାନେ ତୁରନ୍ତ ସେହି ସ୍ଥାନରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଅନ୍ୟ ଜାତିର ହୋଇଥିବାରୁ କେହି ବି ଶବ ସତ୍କାର ପାଇଁ ବାହାରି ନଥିଲେ। ତେଣୁ ଟିମ୍ ନିଷ୍ଠା ଘଟଣାସ୍ଥଳରୁ ଶବକୁ ଉଠାଇ ଗାଆଁ ଶ୍ମଶାନ ଘାଟକୁ ଯାଇଥିଲେ । ସେଠାରେ ସସମ୍ମାନେ ଶବ ସତ୍କାର କରିଥିଲା। ବୃଦ୍ଧ ସ୍ଵାମୀ ସତ୍ୟନାରାୟଣ ମୁଖଗ୍ନି ଦେଇଥିଲେ।

ଏବେ ସତ୍ୟନାରାୟଣ ସମ୍ପୂର୍ଣ୍ଣ ଏକା ହୋଇ ଯାଇଛନ୍ତି । ତେଣୁ ତାଙ୍କୁ ବୃଦ୍ଧାଶ୍ରମରେ ଥଇଥାନ କରାଯିବ। ନିଷ୍ଠା ପରିବାରର ଉପଦେଷ୍ଟା ବିଦ୍ୟାଧର ଭୋଇ, ଅଶ୍ୱିନୀ ତ୍ରିପାଠୀ, ସହ ସମ୍ପାଦକ ଜୟନ୍ତ ପ୍ରଧାନ ଓ ଚିତ୍ରସେନ ପ୍ରଧାନ ପ୍ରମୁଖ ଏହି ମହତ କାର୍ଯ୍ୟରେ ସହଯୋଗ କରିଥିଲେ। ଏହା ସହିତ କୁସଂସ୍କାରକୁ ଦୂର କରିବା, ଶବକୁ ସମ୍ମାନ ଦେବା, ଜାତି ଭେଦଭାବ କୁ ଦୂର କରିବା ପାଇଁ ନିଷ୍ଠାର ସଦସ୍ୟମାନେ ଆହ୍ଵାନ ଦେଇଛନ୍ତି ।