ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ୍ୟୁ ଘଟଣା: ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ହେଲାଣି ଶବ ରଖି ରାସ୍ତାରୋକ ଜାରି

ସମ୍ବଲପୁର(କେନ୍ୟୁଜ୍‌) : ବସ୍ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ ଘଟଣାକୁ ନେଇ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ହେଲା ରାସ୍ତାରୋକ ଜାରି । ମୃତକଙ୍କ ପରିବାରକୁ କ୍ଷତିପୁରଣ ଦାବିରେ ନାୟକପଡା ଛକରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଗତକାଲି ସଂଧ୍ୟା ୬ ଟା ସମୟରେ ସମ୍ବଲପୁରରୁ ଯାତ୍ରୀନେଇ ବୀରମହାରାଜପୁରକୁ ଆସୁଥିବା ପତି ନାମକ ଏକ ଯାତ୍ରୀବାହୀ ବସ୍ ନାୟକପଡା ଛକ ନିକଟରେ ଏକ ବାଇକ ଆରୋହୀକୁ ଧକ୍କାଦେଇ ଓଲଟି ପଡିଥିଲା । ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ମୃତକ ଜଣଙ୍କ ନାୟକପଡା ଗାଁର ୩୨ ବର୍ଷୀୟ ଅଭି ସାହୁ ।

ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିଲା । ଫଳରେ ମୃତକଙ୍କ ପରିବାରକୁ କ୍ଷତିପୁରଣ ଦାବିରେ ଗତକାଲି ସଂଧ୍ୟାରୁ ଗ୍ରାମବାସୀ ଓ ପରିବାର ସଦସ୍ୟ ସମ୍ବଲପୁର-ସୋନପୁର’ ବୀରମହାରାଜପୁର ରାସ୍ତାକୁ ନାୟକପଡା ଛକରେ ଅବରୋଧ କରି ରଖିଛନ୍ତି । ଘଟଣାସ୍ଥଳରେ ଏବେବି ଶବ ପଡିରହିଛି । ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ବି ଏଯାଏଁ କୌଣସି ପ୍ରଶାସନିକ ଅଧିକାରୀ ପହଁଚିନଥିବାରୁ ଏବେବି ରାସ୍ତାରୋକ ଜାରି ରହିଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମୋଟର ଅଟକି ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.