କାଲି ମତ ଦେବ ଧାମନଗର: ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ଭୋଟ୍ ଗ୍ରହଣ

ଭୁବନେଶ୍ବର(କେନ୍ୟୁଜ୍): ରାତି ପାହିଲେ ଧାମନଗର ଉପନିର୍ବାଚନ । ସରିଛି ସବୁ ପ୍ରସ୍ତୁତି । ବୁଥରେ ପହଞ୍ଚି ସାରିଛନ୍ତି ପୋଲିଂ ପାର୍ଟି । କଡ଼ା ସୁରକ୍ଷା ଭିତରେ ରହିଛି ଇଭିଏମ୍ । ସକାଳ ୭ଟାରୁ ଖୋଲିବ ମତଦାନ କେନ୍ଦ୍ର । ସନ୍ଧ୍ୟା ୬ଟା ଯାଏ ଭୋଟ୍ ଗ୍ରହଣ ଚାଲିବ । ମତଦାନ କରିବେ ୨ ଲକ୍ଷ ୩୮ହଜାର ୪୧୭ ଭୋଟର୍ । ଧାମନଗରରେ ମୋଟ୍ ୨୫୨ଟି ବୁଥ୍ କରାଯାଇଛି । ଏଥିରୁ ୧୫ଟି ମଡେଲ୍ ବୁଥ୍ ଓ ୫ଟି ପିଙ୍କ ବୁଥ୍ । ୧୧୦ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ୧୨୬ଟି ବୁଥରେ ହେବ ୱେବ କାଷ୍ଟିଂ । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହ୍ଵିଲ୍ ଚେୟାରର ବ୍ୟବସ୍ଥା ହୋଇଛି । ପ୍ରତି ବୁଥରେ ଜଣେ ଲେଖାଏ ପ୍ରିଜାଇଡିଂ ଅଫିସର, ୩ ଜଣ ପୋଲିଂ ଅଫିସର ଓ ଜଣେ ପୋଲିସ କର୍ମଚାରୀ ନିୟୋଜିତ ହେବେ । କାଲି ସକାଳ ୭ଟାରୁ ସଂଧ୍ୟା ସାଢେ ୬ଟା ଯାଏଁ ଏକଜିଟ୍ ପୋଲ ମନା ।
ଧାମନଗର ଉପନିର୍ବାଚନ ପାଇଁ ସୁରକ୍ଷା କଡ଼ାକଡ଼ି । ମୁତୟନ ହୋଇଛନ୍ତି ୪ କଂପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ଓ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ । ସୁରକ୍ଷା ଦାୟିତ୍ୱରେ ରହିବେ ୩ଜଣ ଆଡିସିନାଲ ଏସପି ର୍ୟାଙ୍କର ଅଧିକାରୀ, ୬ଜଣ ଡିଏସପି ପାହ୍ୟାର ଅଧିକାରୀ, ଶହେ ଜଣ ସବ୍ ଇନ୍ସପେକ୍ଟର । ସମ୍ବେଦନଶୀଳ ବୁଥଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରହିଛି । ସାଇଲେଣ୍ଟ ପିରିୟଡରେ ନିର୍ବାଚନମଣ୍ଡଳୀରେ ମଦ ବିକ୍ରି ବନ୍ଦ । ଧାମନଗର ଉପନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେଉଛି । ରଣାଙ୍ଗନରେ ବିଜେଡିର ଅବନ୍ତୀ ଦାସ ଅଛନ୍ତି । ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ବିଜେପିର ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସର ବାବା ହରେକୃଷ୍ଣ ସେଠୀ । ୬ ତାରିଖରେ ଜଣାପଡ଼ିବ ଧାମନଗର କାହାର ।