Below header

ପାଣିପାଗ : ଏବେ ତାପମାତ୍ରା ବଢିଛି, ଦିନକ ପରେ ପୁଣି କମିବ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବେଶ୍‌ କିଛି ଜିଲ୍ଲାରେ ଗରମ ଅନୁଭୂତ ହୋଇଛି । ଦିନରେ ଖରା ତାତିକୁ ନେଇ ଚର୍ଚ୍ଚା କରିଛନ୍ତି ଲୋକେ । ତେବେ ପାଣିପାଗ ବିଭାଗର କହିବା ଅନୁଯାୟୀ ଅନେକ ବର୍ଷ ପରେ ଚଳିତ ବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଶୀତ ରହିବ । ଏବେବି ଦେଶର ଉତ୍ତର ଭାଗରେ ବର୍ଷା ଓ ବରଫ ପାତ ଜାରି ରହିଛି । ଦିଲ୍ଲୀରେ ବର୍ଷା ହେଉଛି ।

ସ୍ୱାଭାବିକ ଭାବେ ଫେବ୍ରୁଆରୀ ଶେଷ ସପ୍ତାହ ପର୍ଯ୍ୟନ୍ତ ଶୀତ ରହିଥାଏ । ହେଲେ ଏଥର ପାଗରେ ଫରକ ଆସିଛି । ପୂର୍ବ ଭାଗରେ ଗରମ ଆରମ୍ଭ ହୋଇ ଯାଇଥିବା ବେଳେ ଉତ୍ତର ଭାଗରେ ବର୍ଷା ସହ ବରଫ ପାତ ଜାରି ରହିଥିବାରୁ ଶୀତର ପ୍ରକୋପ ମଧ୍ୟ ରହିଛି । ସେହିଭଳି କେନ୍ଦ୍ରାଞ୍ଚଳରେ ମଧ୍ୟ ଶୀତ ଯୋଗୁଁ ତାପମାତ୍ରା କମ୍‌ ରହୁଛି । ପଶ୍ଚିମଭାଗରେ ସୃଷ୍ଟି ହୋଇଥିବା ଚାପ ଯୋଗୁଁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ । ଏହାପରେ ପୁଣି ଶୀତ ଲହରୀ ଯୋଗୁଁ ତାପମାତ୍ରା କମିଯିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ରାଜ୍ୟରେ ଗରମ ବଢ଼ିଲା

ଏପଟେ ରାଜ୍ୟରେ ଆଜି ତାପମାତ୍ରା ବଢ଼ିଥିବା ବେଳେ ଦିନକ ପରେ ଅର୍ଥାତ ୨୨ ତରିଖରୁ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ । ଆକାଶ ଆଂଶିକ ଭାବେ ମେଘୁଆ ରହିବ । ୨୬ ତାରିଖ ଯାଏ ଏଭଳି ପାଗ ରହିବ । ୨୨ରୁ ୨୫ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ଅଳ୍ପ ବର୍ଷା ଏବଂ ଘଡ଼ଘଡ଼ି ସହ ବର୍ଷା ହୋଇ ପାରେ । ଆଜି ଅନେକ ଜିଲ୍ଲାରେ ତାପମାତ୍ରା ୩୦ ଡିଗ୍ରୀ ସେଲସିୟସରୁ ଅଧିକ ଥିବା ରେକର୍ଡ଼ କରାଯାଇଛି । ଭୁବନେଶ୍ୱରରେ ଗତକାଲି ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ଥିବା ବେଳେ ଆଜି ଏହା ୩୫ ଡିଗ୍ରୀରେ ପହଞ୍ଚିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.