ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ଦିଦି, ଗୁରୁତରଙ୍କ ପାଇଁ ପଠାଇଲେ ୪୦ ଜଣ ଡାକ୍ତର

ଉଦ୍ଧାର କାର୍ଯ୍ୟରେ ଓଡ଼ିଶା ରେସ୍କ୍ୟୁ ଟିମ ସହ ଶେଷ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ଟିମ୍‌ କାମ କରିବେ ବୋଲି କହିଛନ୍ତି ଦିଦି। ଉଦ୍ଧାର କାର୍ଯ୍ୟ ଓ ଚିକିତ୍ସା ପାଇଁ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି।

କେନ୍ୟୁଜ୍(ବ୍ୟୁରୋ):  ପଶ୍ଚିମବଙ୍ଗ ଆଖିରେ ସବୁଠୁ ବେଶୀ ଲୁହ ଦେଇଛି କରମଣ୍ଡଳ ଟ୍ରେନ ଟ୍ରାଜେଡି। ମୃତକଙ୍କ ଭିତରେ ଅଧିକାଂଶ ଯାତ୍ରୀ ପଶ୍ଚିମବଙ୍ଗର। ଦୁଃଖ ଦେଇଥିବା ବାହାନଗା ଦୁର୍ଘଟଣା ସ୍ଥଳରେ ଆଜି ପହଞ୍ଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ। ଦୁର୍ଘଟଣାର ଭୟବହତା ଦେଖିଥିଲେ। ଦୁର୍ଘଟଣା ପାଇଁ ରେଳ ମନ୍ତ୍ରୀଙ୍କ ସାମ୍ନାରେ ବ୍ୟବସ୍ଥାକୁ ଦାୟୀ କରିଥିଲେ ଦିଦି। କରମଣ୍ଡଳ ଏକ୍ସପ୍ରେସରେ ଆଣ୍ଟି କଲିଜିଅନ ଡିଭାଇସ୍‌ ନଥିବାରୁ ଦୁର୍ଘଟଣା ଘଟିଥିବା କହିଛନ୍ତି ଟିଏମସି ବସ୍‌। ସେ ରେଳ ମନ୍ତ୍ରୀ ଥିବା ବେଳେ ଆଣ୍ଟି କଲିଜିଅନ ଡିଭାଇସ ବ୍ୟବସ୍ଥା ଆରମ୍ଭ କରିଥିଲେ। କରମଣ୍ଡଳରେ ଏହି ଡିଭାଇସ ଥିଲେ ଏତେ ଲୋକଙ୍କ ମୃତ୍ୟୁକୁ ଅଟକା ଯାଇ ପାରିଥାନ୍ତା। କାହାକୁ ଜୀବନ ଫେରାଇ ଦେଇ ହେବନି। ଏବେ ଉଦ୍ଧାର କାର୍ଯ୍ୟ ଏବଂ ରେଳ ଚଳାଚଳକୁ ସ୍ୱାଭାବିକ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଦିଦି କହିଛନ୍ତି।

ମୃତକଙ୍କ ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଦିଦି। ଗତକାଲି ଦୁର୍ଘଟଣା ପରେ ୪୦ ଆମ୍ବୁଲାନ୍ସ ପଠାଇଥିଲେ ପଶ୍ଚିମବଙ୍ଗ ସରକାର। ଆଜି ଆଉ ୭୦ ଆମ୍ବୁଲାନ୍ସ ପଠାଇଛନ୍ତି। ୪୦ ଜଣ ଡାକ୍ତର ଆସିଛନ୍ତି। ଉଦ୍ଧାର କାର୍ଯ୍ୟରେ ଓଡ଼ିଶା ରେସ୍କ୍ୟୁ ଟିମ ସହ ଶେଷ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ଟିମ୍‌ କାମ କରିବେ ବୋଲି କହିଛନ୍ତି ଦିଦି। ଉଦ୍ଧାର କାର୍ଯ୍ୟ ଓ ଚିକିତ୍ସା ପାଇଁ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି। ଅନ୍ୟପଟେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ରେଳ ମନ୍ତ୍ରୀଙ୍କ ସହ କଥା କଟାକଟି ହୋଇଥିଲେ ଦିଦି। ମୃତ୍ୟୁ ସଂଖ୍ୟା ୫୦୦ ହେବ ବୋଲି କହିଥିଲେ ମମତା ବାନାର୍ଜ। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ମୃତ୍ୟୁ ସଂଖ୍ୟା ୨୩୮। ଦିଦି କହିଥିଲେ ଏହା କାଲିର ସଂଖ୍ୟା। ଆହୁରି ୩ଟି ବଗିରେ ମୃତଦେହ ଅଛି। ୩ ଥର ରେଳ ମନ୍ତ୍ରୀ ଥିଲେ ମମତା ବାନାର୍ଜୀ। ରେଳ ବିଭାଗ ତାଙ୍କ ପିଲା ଭଳି। ପରାମର୍ଶ ଦେବାକୁ ସେ ପ୍ରସ୍ତୁତ ବୋଲି ରେଳ ମନ୍ତ୍ରୀଙ୍କ ସାମ୍ନାରେ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.