ମୋତେ ଓ ମା’ଙ୍କୁ ଇମୋସନାଲ ବ୍ଲକ୍‌ମେଲ୍ କରି ଅନୁଭବ ବାହା ହୋଇଥିଲେ : ବର୍ଷା

ରିଲ୍‌ରେ ସମସ୍ତଙ୍କ ପାଇଁ ଆଦର୍ଶ ଅନୁଭବ ଓ ବର୍ଷା । ଦୁହିଙ୍କ ପ୍ରେମ ସବୁ ଯୁବପିଢ଼ିଙ୍କ ପାଇଁ ଉଦାହରଣ ପାଲଟେ । କେତେବେଳେ ବର୍ଷାଙ୍କୁ ଭଲ ପାଇବାର ଏମିତି ନମୂନା ଦେଖାନ୍ତି ଯେ ଦେଖିବା ଲୋକର ହୃଦୟ ତରଳି ଯାଏ । ଆଉ କେତେବେଳେ ନାୟିକା ବର୍ଷାଙ୍କୁ ଗୁଣ୍ଡାଙ୍କ ଠାରୁ ରକ୍ଷା କରିବା ପାଇଁ ସିଂହ ଭଳି ଫାଇଟ୍ କରନ୍ତି । ହେଲେ ସେଇ ଅନୁଭବ ରିୟଲ ଲାଇଫ୍‌ରେ ଘର ଭିତରେ ମଧ୍ୟ ଜଣେ ଭୟଙ୍କର ବାଘ ଠାରୁ କମ୍ ନଥିଲେ । ବର୍ଷା ନିଜ ପିଟିସନ୍ ଲେଖିଛନ୍ତି କିଭଳି ତାଙ୍କୁ ଅନୁଭବ ଭଲ ପାଇଲେ ଓ ଇମୋସନାଲ ବ୍ଲାକ୍‌ମେଲ୍ କରି ବାହା ହେଲେ । ସେଇ ଭଲ ପାଇବା ୨୦୧୯ ଡିସେମ୍ବର ପର‌୍ୟ୍ୟନ୍ତ ରହିଲା ଆଉ ତା ପରେ ଅଚାନକ ଉଭେଇଗଲା ।

ବିବାହର ୬ ବର୍ଷ ପୂର୍ବରୁ ଅନୁଭବ ତାଙ୍କୁ ଭଲ ପାଉଥିଲେ । କଟକରେ ତାଙ୍କ ଘରକୁ ଯିବା ଆସିବା କରୁଥିଲେ । ଏମିତିକି ବର୍ଷାଙ୍କୁ ବାହା ହେବାକୁ ଜିଦ୍ ଧରିଥିଲେ । କେତେବେଳେ ଏଥିପାଇଁ ଛୁରୀରେ ହାତ ଗୋଡ଼ କାଟି ପକାଉଥିଲେ ତ ଆଉ କେତେବେଳେ ଛାତି ଚିରି ଦେଉଥିଲେ । ପୁଣି କେତେବେଳେ ଆତ୍ମହତ୍ୟା କରିବାକୁ ବି ଧମକ ଦେଉଥିଲେ । ଶେଷରେ ଅନ୍ୟ ଉପାୟ ନପାଇ ତାଙ୍କ ବିଧବା ମା ଅନୁଭବଙ୍କ ସହିତ ବାହା କରିବାକୁ ରାଜି ହେଲେ । ୨୦୧୪ରେ ବାହାଘର ହେଲା । ବାହାଘର ବେଳେ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଏହା ସହିତ ସବୁ ଆସବାବପତ୍ର ମଧ୍ୟ ଦେଇଥିଲେ । ଏମିତିକି ବାହାଘରରେ ଆସିଥିବା ଦୁଇ ହଜାର ବରଯାତ୍ରୀଙ୍କୁ ପ୍ରତ୍ୟେକ ଗୋଟିଏ ଲେଖାଏଁ ରୁପା ମୁଦ୍ର ଉପହାର ସ୍ୱରୂପ ଦିଆଯାଇଥିଲା ।

ବାହାଘର ପରେ ସବୁ ଠିକ୍ ଠାକ୍ ଚାଲିଲା । ହେଲେ କିଛି ଦିନ ପରେ ରୂପ ବଦଳିଗଲା ଅନୁଭବ ଓ ତାଙ୍କ ପରିବାର ଲୋକଙ୍କର । ସେମାନେ ବାହାରେ ବା ଫିଲ୍ମରେ କାମ କରିବାକୁ ମନା କଲେ ଯାହା ମୋ ପାଇଁ ଏକ ନିର‌୍ୟାତନାରୁ କମ୍ ନଥିଲା ବୋଲି ବର୍ଷା ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନୁଭବଙ୍କର ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ଥିଲା । ଯାହାକୁ ଘର ଲୋକେ ମଧ୍ୟ ସମର୍ଥନ କରୁଥିଲେ । ଏସବୁଥିରେ ମୁଣ୍ଡ ନଖେଳାଇବା ପାଇଁ ସେମାନେ ତାଙ୍କ ଧମକ ଦେଉଥିଲେ । ବାହାଘର ପରେ ପରେ ଅନୁଭବ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିଲେ । ୨୦୧୯ରେ ଲୋକସଭା ସାଂସଦ ହେବା ବେଳେ ମଧ୍ୟ ସେଥିରେ ତାଙ୍କ ପାଇଁ ବର୍ଷାଙ୍କ ସହଯୋଗ ରହିଥିଲା । ତେବେ ଏହା ପରେ ତାଙ୍କ ବ୍ୟବହାର ଅସହ୍ୟ ହେବାକୁ ଲାଗିଲା ।

ANUBHAB AND BARSHA-1

ଆଉ ଏକ ଗୁରୁତର ଓ ସମ୍ବେଦନଶୀଳ ଅଭିଯୋଗ ଆଣିଛନ୍ତି ବର୍ଷା । ସେ ପିଟିସନ୍‌ରେ ଲେଖିଛନ୍ତି ଯେ ମଦ ପିଇ ଅନୁଭବ ନିଜକୁ ବି ଭୁଲି ଯାଉଥିଲେ । ଯାହାଫଳରେ ଦାମ୍ପତ୍ୟ ଜୀବନ ପ୍ରଭାବିତ ହେଉଥିଲା । ମଦ ପିଇ ତାଙ୍କୁ ଅନୁଭବ ହାତରେ ଆଉ କେତେବେଳେ ବାଡ଼ିରେ ବାଡ଼ାଉଥିଲେ । ତେବେ ନିଜର ଓ ପରିବାର ସମ୍ମାନକୁ ଦୃଷ୍ଟିରେ ରଖି ସେ ଚୁପ୍ ରହୁଥିଲେ । କାରଣ ଉଭୟ ଅନୁଭବ ଓ ବର୍ଷା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର୍ ଥିଲେ । ଅନ୍ୟପକ୍ଷରେ ଅନୁଭବ ତାଙ୍କୁ ଯେମିତି ଅତି ତୁଚ୍ଛ ମଣି ଅତି ନୀଚ ଭଳି ବ୍ୟବହାର ଦେଖାଉଥିଲେ ।

ଅନୁଭବ ମାତ୍ର ୧୬ ବର୍ଷ ବୟସରୁ ଡାଇବେଟିଜ୍‌ରେ ଆକ୍ରାନ୍ତ । ତା ସାଙ୍ଗକୁ ବିଳମ୍ବିତ ରାତି ଯାଏ ପ୍ରଚୁର ମଦ ପିଉଥିଲେ । ତାଙ୍କୁ ବର୍ଷା ରାତିରେ ଡିନର ପାଇଁ ଅପେକ୍ଷା କରି ରହୁଥିଲେ ମଧ୍ୟ ସେ ମଦ ପିଇ ଅସଭ୍ୟ ଭଳି ଦୁର୍ବ୍ୟବାହାର ଓ ଗାଳି ଗୁଲଜ କରୁଥିଲେ । ଯାହାଫଳରେ ପରିବାର ଆଗକୁ ବଢ଼ି ପାରୁନଥିଲା ବୋଲି ବର୍ଷା ଅଭିଯୋଗ କରିଛନ୍ତି ।

ଅବଶ୍ୟ ତାଙ୍କ ମା ଓ ଭଉଣୀ ଏବଂ ଉଭୟ ପରିବାର ଲୋକେ ଅନୁଭବଙ୍କୁ ମଦ ଛାଡ଼ିବାକୁ ବାରମ୍ବାର ବୁଝାଇଛନ୍ତି । ସେ ରାଜି ହୋଇଥିଲେ ମଧ୍ୟ ପରେ ପୁଣି ପିଇଛନ୍ତି । ଉଭୟପକ୍ଷ ଦୁହିଙ୍କ ଦାମ୍ପତ୍ୟ ଜୀବନକୁ ସ୍ୱାଭାବିକ କରିବାକୁ ଅନେକ ଚେଷ୍ଟା କରି ଶେଷରେ ଫେଲ୍ କରିଥିଲେ । ତେବେ ଲକ୍‌ଡାଉନ୍ ପରେ ପରିସ୍ଥିତି ଆହୁରି ସଂଘାତିକ ହୋଇପଡ଼ିଲା । ଅନୁଭବ ତାଙ୍କ ବାପା ମାଆ ଆଦିଙ୍କୁ ନେଇ ପୂର୍ବରୁ ଦିଲ୍ଲୀ ଚାଲି ଯାଇଥିଲେ ଏବଂ ଲକ୍‌ଡାଉନ୍ ଯୋଗୁଁ ସେମାନେ ଦିଲ୍ଲୀରେ ଫସି ରହିଗଲେ । ଏପଟେ ବର୍ଷା କଟକରେ ନିଜ ଶାଶୁ ଘରେ ଏକା ରହିଲେ । ଗତ ମେ ୨୫ ତାରିଖରେ ସେମାନେ ଫେରିଥିଲେ । ସେପର‌୍ୟ୍ୟନ୍ତ ଅନୁଭବ ତାଙ୍କ ସହ କୌଣସି ସମ୍ପର୍କ ରଖିନଥିଲେ । ତାଙ୍କ ଭଲମନ୍ଦ ବି ବୁଝି ନଥିଲେ । ଓଲଟି ଫେରିବା ପରେ ଭୀଷଣ ଗାଳିଗୁଲଜ କରିଥିଲେ ।

ଗତ ଜୁନ୍ ୭ ତାରିଖ ରାତି ୧୦ଟା ବେଳେ ଅନୁଭବ ଏବଂ ତାଙ୍କ ବାପା ତାଙ୍କ ପ୍ରବଳ ଗାଳିଗୁଲଜ ଓ ଭର୍ତ୍ସନା କରିଥିଲେ । ପ୍ରାୟ ଦୁଇ ଘଣ୍ଟା ଧରି ସେମାନେ ତାଙ୍କୁ ଏବଂ ତାଙ୍କ ମା ଓ ଭଉଣୀଙ୍କୁ ଖରାପ ଭାଷାରେ ଗାଳି କରିଥିଲେ । ଆଉ ଜୁନ୍ ୧୧ରେ ଅନୁଭବ ଧମକ ଦେଇ ଆପୋଷ ବୁଝାମଣାରେ ଛାଡ଼ପତ୍ର ଦେବାକୁ କହିଥିଲେ । ଯଦି ଛାଡ଼ପତ୍ର ନଦେବ ତେବେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ତେଣୁ ନିର‌୍ୟାତନା ଅସହ୍ୟ ହେବା ପରେ ସେ ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବୋଲି ବର୍ଷା ନିଜ ପିଟିସନ୍‌ରେ ଜଣାଇଛନ୍ତି ।

Leave A Reply

Your email address will not be published.