ଏ କି ମାନସିକତା ? ତଫସିଲ ଭୁକ୍ତ ଜାତି ବୋଲି ରୋଗୀକୁ ଛୁଇଁଲେନି ଆମ୍ବୁଲାନ୍ସରେ ଆସିଥିବା କର୍ମଚାରୀ

ଆଠଗଡ଼ (କେନ୍ୟୁଜ): ତଫସିଲ ଭୁକ୍ତ ଜାତିର ଲୋକ ବୋଲି ଛୁଇଁଲେନି ଆମ୍ବୁଲାନ୍ସରେ ଆସିଥିବା କର୍ମଚାରୀ । ତେବେ ଏଠି ପ୍ରଶ୍ନ ଉଠୁଛି ୧୦୮ ଆମ୍ବୁଲାନ୍ସ ସେବା କାହା ପାଇଁ ? ଏମିତି ଏକ ହିନ ମାନସିକତାର ପୁଙ୍ଖାନୁପୁଙ୍ଖ ଦୃଶ୍ୟ ଦେଖିବାକୁ ମିଳିଛି ଆଠଗଡ଼ ବ୍ଲକ୍ ସମସରପୁର ପଞ୍ଚାୟତ ଅନ୍ତର୍ଗତ ଚେରେଇ ପାଟଣା ଗ୍ରାମର ତଫସିଲ ଭୁକ୍ତ ସାହିରେ। ଆଜି ସକାଳୁ ସେହି ସାହିର ଜଣେ ମହିଳା ନିଜ ଘରକୁ ପମ୍ପ ଯୋଗେ ପାଣି ନେଉଥିବା ବେଳେ ଭୁଲ୍ ବଶତଃ ବିଦ୍ୟୁତ ସ୍ପର୍ଶରେ ଆସି ବେହୋସ୍ ହୋଇ ପଡ଼ିଥିଲେ। ପାଖରେ ଥିବା କିଛି ମହିଳା ତାଙ୍କୁ ଉଦ୍ଧାର କରି ଘରର ବାରଣ୍ଡାରେ ଶୁଆଇ ଦେଇ ଥିଲେ ଓ ୧୦୮ ଆମ୍ବୁଲାନ୍ସ ଫୋନ୍ କରିଥିଲେ, ଆମ୍ବୁଲାନ୍ସ ବି ପହଞ୍ଚିଲା।

କିନ୍ତୁ ଆମ୍ବୁଲାନ୍ସ ରେ ଆସିଥିବା କର୍ମଚାରୀ ମାନେ ଗାଡ଼ିରୁ ଓହ୍ଲାଇ ରାସ୍ତାରେ ଛିଡ଼ା ହୋଇ ରହିଲେ। ବୋଧ ହୁଏ ସେମାନେ ଜାଣି ପାରିଲେ କି ଏହି ସାହିଟି ତଫସିଲ ଭୁକ୍ତ ସାହି । ଛୁଆଁ ଛୁତୀ ବାରଣ କରି କର୍ମଚାରୀ ମାନେ ମହିଳାଙ୍କୁ ଆଣିବାକୁ ଯାଇ ନଥିଲେ। ପରେ ସାହିର ଲୋକମାନେ ଆଖପାଖରୁ କିଛି ଯୁବକଙ୍କୁ ଡ଼ାକି ଆମ୍ବୁଲାନ୍ସ ରେ ଆସିଥିବା ଷ୍ଟ୍ରେଶ୍ଚର ଯୋଗେ ମହିଳା ଜଣଙ୍କୁ ଆମ୍ବୁଲାନ୍ସ ରେ ଭର୍ତ୍ତି କରିଥିଲେ। ସେ ପର୍ଯ୍ୟନ୍ତ ବି ସେବା ଯୋଗାଇ ଦେବା ପାଇଁ ଆସିଥିବା କର୍ମଚାରୀ ମାନେ ହାତ ଉପରେ ହାତ ରଖି ରାସ୍ତା ଉପରେ ଛିଡା ହୋଇ ରହିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହି ୧୦୮ ଭଳି ଆମ୍ବୁଲାନ୍ସ ସେବା କାହା ପାଇଁ କରିଛନ୍ତି ବୋଲି ସେହି ସାହିର ଲୋକମାନେ ଅଭିଯୋଗ କରିଛନ୍ତି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.