ଭୁବନେଶ୍ୱରରୁ ଅଳିଆ ହଟିବ କେବେ? ପୁଣି ୨ ଦିନ ସମୟ ମାଗିଲେ ଦାରୁଠେଙ୍ଗବାସୀ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରରୁ ଅଳିଆ ହଟିବ କେବେ? କେବେ ଉଠିବ ଅଳିଆଆବର୍ଜନା, ସହର ହେବ ସଫାସୁତୁରା? ଅଳିଆ ଉଠିବା ନେଇ ବୈଠକରୁ ବାହାରି ପାରୁନି ସମାଧାନର ବାଟ । ଭୁଆସୁଣି ଡମ୍ପିଂୟାର୍ଡକୁ ଅଳିଆ ଗାଡ଼ି ଯିବା ନେଇ ବିଏମସି ଓ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକରୁ ବାହାରି ପାରିଲାନି ନିଷ୍କର୍ଷ ।

ପୁଣି ୨ ଦିନ ସମୟ ମାଗିଲେ ଦାରୁଠେଙ୍ଗବାସୀ। ଅଳିଆ ଗାଡ଼ି ସଂପର୍କରେ ଗ୍ରାମସଭାରେ ତର୍ଜମା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଦାରୁଠେଙ୍ଗ ସରପଞ୍ଚ। ଏହା ସହ କିଛି ଦାବି ମଧ୍ୟ ରଖିଛନ୍ତି। ଦାରୁଠେଙ୍ଗକୁ ଯିବନାହିଁ ଅଳିଆ ଗାଡ଼ି। ଡମ୍ପିଂ ୟାର୍ଡରେ ବାୟୋ ମାଇନିଂ କାମ ବନ୍ଦ ରହିବ। ଅଳିଆ ବନ୍ଦ ନହେଲେ ବାୟୋ ମାଇନିଂ କାମ ବନ୍ଦ ରହିବ ବୋଲି କହିଛନ୍ତି ସରପଞ୍ଚ। ସେପଟେ ଏନେଇ ବିଏମସି ୯ ମାସର ସମୟ ମାଗିଛି।

ସେପଟେ ଆଜିର ଆଲୋଚନା ସକାରାତ୍ମକ ରହିିଥିବା କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ୨ ଦିନ ମଧ୍ୟରେ ଦାରୁଠେଙ୍ଗବାସୀଙ୍କ ଆଲୋଚନାରୁ ସମାଧାନର ବାଟ ବାହାରିବ ବୋଲି ସେ କହିଛନ୍ତି। ନୂଆ ସଫେଇ ଟେଣ୍ଡରକୁ ନେଇ ବିବାଦରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଗଦା ହୋଇ ରହିଛି। ଦାରୁଠେଙ୍ଗରେ ଅଳିଆ ବିବାଦ ଯୋଗୁଁ ରାଜଧାନୀର ଅଳିଆ ଭୁଆସୁଣୀ ଡମ୍ପିଂୟାର୍ଡକୁ ଯାଇପାରୁନି । ସେପଟେ ସୈନିକ ସ୍କୁଲ୍‌ ନିକଟ ଅସ୍ଥାୟୀ ଡମ୍ପିଂୟାର୍ଡରେ ଅଳିଆ ଉଛୁଳିବାକୁ ବସିଲାଣି । ପୂର୍ବରୁ ଦୁଇ ଦୁଇ ଥର ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର କୌଣସି ବାଟ ବାହାରିପାରିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.