କୁଆଡୁ ଆସିଲା ସୁବର୍ଣ୍ଣପୁର ଉଲୁଣ୍ଡାକୁ ୪୧ ଲକ୍ଷ ନକଲି ନୋଟ୍? ରିମାଣ୍ଡରେ ଅଭିଯୁକ୍ତ ଆସିଲେ ଖୋଲିବ ଗୁମର

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାତିଖାଇ ଗାଁରୁ ଏତେ ପରିମାଣର ଫେକ୍ ନୋଟ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ପାଞ୍ଚ ଶହ ଟଙ୍କିଆ ବଣ୍ଡଲ ଭାବେ ଥିଲା ଏହି ଟଙ୍କା। ଜାଲ ନୋଟ କାରବାର ନେଇ ଦୀପକ ମେହେର ନାମକ ଯୁବକକୁ ଗିରଫ କରିଛି ଏସଟିଏଫ।

କେନ୍ୟୁଜ୍(ବ୍ୟୁରୋ): ପୁଳା ପୁଳା ନକଲି ନୋଟ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୪୧ଲକ୍ଷ ୧୬ ହଜାର ଟଙ୍କାର ଜାଲ ନୋଟ। ଅତି ନିରେଖି ନଦେଖିଲେ ଅସଲି କି ନକଲି ଜାଣିବା ଅତି କଷ୍ଟ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାତିଖାଇ ଗାଁରୁ ଏତେ ପରିମାଣର ଫେକ୍ ନୋଟ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ପାଞ୍ଚ ଶହ ଟଙ୍କିଆ ବଣ୍ଡଲ ଭାବେ ଥିଲା ଏହି ଟଙ୍କା। ଜାଲ ନୋଟ କାରବାର ନେଇ ଦୀପକ ମେହେର ନାମକ ଯୁବକକୁ ଗିରଫ କରିଛି ଏସଟିଏଫ। ମୁଖ୍ୟ ଅଭିଯୁକ୍ତ ଦୀପକର ବଡ଼ ଭାଇ ତୋଷବନ୍ତ ମେହେର ଫେରାର ରହିଛି। ଗିରଫ ଅଭିଯୁକ୍ତକୁ ବୀରମହାରାଜପୁର କୋର୍ଟରେ ହାଜର କରାଯାଇଛି। ଜବତ ଟଙ୍କାକୁ ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ଶାଳବଣୀ ସ୍ଥିତ ଆରବିଆଇର ନୋଟ ମୂଦ୍ରଣ କାର୍ଯ୍ୟାଳୟକୁ ପଠାଯିବ।

କେବେ ଠାରୁ ଚାଲିଥିଲା ଫେକ ନୋଟ କାରବାର? ତଦନ୍ତ ବେଳେ ଆସିଛି ଛତିଶଗଡ଼ ଲିଙ୍କ। ବୃତ୍ତିରେ ବୁଣାକାର ଦୁଇ ଭାଇ ବାଇକ ଯୋଗେ ଛତିଶଗଡ଼ର ବିଭିନ୍ନ ଅଞ୍ଚଳ ଯାଇ ଲୁଗା ବିକିଥାନ୍ତି। ସେଠାରୁ ଜାଲ ନୋଟ ଆଣିଥିବା ସନ୍ଦେହ କରିଛି ଏସଟିଏଫ। ଜବତ ୪୧ ଲକ୍ଷ ଫେକ୍ ନୋଟକୁ ୧୨ଲକ୍ଷ ଟଙ୍କାର ଅସଲି ନୋଟ ଦ୍ବାରା ବଦଳାଯାଇଥାନ୍ତା। ତେବେ କାହାକୁ ନକଲି ନୋଟ ଦେଇଥାନ୍ତା ଗିରଫ ଅଭିଯୁକ୍ତ? କେବେ ଠାରୁ ଏହି ଜାଲ ନୋଟ କାରବାରରେ ସଂପୃକ୍ତ ରହିଛି ଅଭିଯୁକ୍ତ? ଏହି ସଂଗଠିତ ଅପରାଧ ପଛରେ ଅନେକ ଲୋକଙ୍କ ସଂପୃକ୍ତି ରହିଥିବା ସନ୍ଦେହ କରାଯାଉଛି। ରିମାଣ୍ଡରେ ଆଣି ଅଭିଯୁକ୍ତ ଠାରୁ ଫେକ ନୋଟ କାରବାରର ତଥ୍ୟ ଓଗାରିବ ଏସଟିଏଫ।  ଗତ ୩ବର୍ଷରେ ଏକ କୋଟି ୧୯ ଲକ୍ଷ ଟଙ୍କାର ଜାଲ ନୋଟ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଫେକ ନୋଟ ରାକେଟ ଉପରେ ଏସଟିଏଫର ବାରମ୍ବାର ଚଢଉ। ତଥାପି ଜବତ ହେଉଛି ପୁଳା ପୁଳା ନୋଟ। କେତେଯାଏ ଲମ୍ବିଛି ଜାଲ ନୋଟ କାରବାର ଚେର? ଫେକ ନୋଟ କାରବାରରେ ରହିଛି କି ମାଓବାଦୀ ଲିଙ୍କ?  ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ଏସଟିଏଫ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.