ଯବାନଙ୍କ ପ୍ରେମରେ ପଡିଗଲା ପୁଟକି…ମାଓଗଡ଼ ସୁକମା କିସ୍ଥାରାମ ଜଙ୍ଗଲରେ ଚାଲିଛି ଏହି ଲଭ୍ ଷ୍ଟୋରୀ

ମାଲକାନଗିରି(କେନ୍ଯୁଜ୍): ଆଜିର ସମାଜ ସ୍ବାର୍ଥପର। ଯାହା ଆପଣ ନିହାତୀ ଅନୁଭବ କରିସାରିଥିବେ । କାହାକୁ ସାହାଯ୍ୟ କରିବାର ମୂଲ୍ୟବୋଧକୁ କିଏ ବା କେତେ ଦିନ ମନେରଖୁଛି। ଏଠାରେ ସାହାଯ୍ୟକାରୀର ବଦାନ୍ୟତାକୁ କିଛି ସେକେଣ୍ଡ ମନେପକାଇ ପୁଣି ଭୁଲିଯାନ୍ତି ଲୋକେ। ସମାଜର ଚିରାଚରିତ ପ୍ରଥା ଅନୁସାରେ କାମ ହାସଲ ହୋଇଗଲା ପରେ ତୁ କିଏ ନା ମୁଁ କିଏ। ଏଠାରେ ତ ଜନ୍ମିତ ପୁଅ ଝିଅ ମାନେ ବି ବାପା ମାଙ୍କୁ ପ୍ରଶ୍ନ କରୁଛନ୍ତି ତୁମେ ଆମ ପାଇଁ କଣ କରିଛ? ହେଲେ ଏବେ ଏମିତି ଏକ ଭିଜୁଆଲ୍ ସାମ୍ନାକୁ ଆସିଛି ଯେଉଁଠି ଗୋଟେ ପଶୁ ଭୁଲିନାହିଁ ସାହାଯ୍ୟର ମୂଲ୍ୟବୋଧକୁ।

ପୁଟକି…। ନାଟି ଯେତିକି ସୁନ୍ଦର ଘଟଣାଟି ତାଠୁ ଅଧିକ କୌତୁହଳ। ପୁଟକି ହେଉଛି ଏହି ହରିଣ ଛୁଆ। ଯିଏ ମଣିଷ ପ୍ରେମରେ ଏକଦମ୍ ବାନ୍ଧି ହୋଇଯାଇଛି । ପୁଟକି ଆ…ଆ.. ଡାକ ଶୁଣିଲା ମାତ୍ରକେ ଯେଉଁଠି ଥାଉ ନା କାହିଁକି ଧାଇଁ ଆସୁଛି। ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମା ଜିଲ୍ଲାରେ । ମାଓ ଗଡ଼ ଭାବେ ପରିଚିତ ସୁକମା ଜିଲ୍ଲା କିସ୍ଥାରାମ ଜଙ୍ଗଲରେ DRG ଯବାନ ମାଓ ଦମନ ପାଇଁ କମ୍ବିଂ ଅପରେସନରେ ଯାଇଥିଲେ । ଜଙ୍ଗଲରେ ଏକ ହରିଣ ଛୁଆ ଆହତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ ଯବାନ । ହରିଣକୁ ଉଦ୍ଧାର କରି ତା’ର ଚିକିତ୍ସା କରିଥିଲେ। କମ୍ବିଂ ଅପରେସନ ସହ ହରିଣ ଛୁଆର ଯତ୍ନ ନେଇଥିଲେ ଯବାନ। ୩ଦିନ ପରେ ଛୁଆଟି ସୁସ୍ଥ ହେବା ପରେ ବେସ୍‌ କ୍ୟାମ୍ପକୁ ଫେରି ଆସିଥିଲେ ଯବାନମାନେ।

ମାତ୍ର ଯବାନଙ୍କୁ ଭୁଲି ପାରିନଥିଲା ହରିଣ ଛୁଆଟି। ଯେତେବେଳେ ଯବାନମାନେ କିସ୍ଥାରାମ ଜଙ୍ଗଲକୁ ଯାଆନ୍ତି , ସେ ଦୌଡ଼ି ଆସେ । ଲାଲଗଡ଼ର ଘଞ୍ଚ ଜଙ୍ଗଲରେ ଯବାନଙ୍କୁ ବାଟେଇ ନେଇ କ୍ୟାମ୍ପ ପାଖରେ ଛାଡ଼େ। ଯବାନମାନେ ହରିଣ ନାଁ ଦେଇଛନ୍ତି ପୁଟକି। ପୁଟକି ଡାକିଲେ ଧାଇଁ ଆସେ ହରିଣ ଛୁଆ। ହରିଣ ଛୁଆ ଓ ମଣିଷ ମଧ୍ୟରେ ସ୍ନେହ-ପ୍ରେମର ଏଭଳି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆଜିର ଦୁନିଆରେ ମଣିଷ ମଣିଷର ଶତ୍ରୁ ପଲଟି ଯାଉଥିବାବେଳେ, ଏହି ପଶୁ କିନ୍ତୁ ତାର ବଫାଦାରୀର ପରିଚୟ ଦେଇ ମଣିଷ ସମାଜକୁ ଏକ ବଡ଼ ଶିକ୍ଷା ଦେଇଛି । ଏହି ନିରୀହ ପଶୁ ସମ୍ପର୍କ ଏବଂ ସାହାଯ୍ୟର ମୂଲ୍ଯକୁ ଠିକ ଭାବେ ବୁଝିପାରିଛି କହିଲେ ଭୁଲ୍ ହେବନାହିଁ।

ମାଲକାନଗିରିରୁ ପ୍ରସାଦ ନାୟକ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.